ଭାରତୀୟ କ୍ରିକେଟରେ ୧୫ ବର୍ଷିୟା ଲେଡି ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରେ ଲେଡି ତେନ୍ଦୁଲକର । କ୍ରିକେଟ ଇତିହାସର କିମ୍ବଦନ୍ତୀ ଖେଳାଳି ସଚିନ ୧୬ ବର୍ଷ ବୟସରେ ଆରମ୍ଭ କରିଥିଲେ ଖେଳ । ଆଉ ତାଙ୍କୁ ଅନୁସରଣ କରିଛନ୍ତି ଏହି ମହିଳା କ୍ରିକେଟର ଜଣଙ୍କ । ମାତ୍ର ୧୫ ବର୍ଷ ବୟସରେ ଜାତୀୟ ଟିମରେ ସେ ପାଇଛନ୍ତି ସ୍ଥାନ ।

ଏହି ମହିଳା କ୍ରିକେଟର ଜଣକ ହେଲେ ଶେଫାଳି ବର୍ମା । ସେପ୍ଟେମ୍ବର ୨୪ରୁ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଲାଗି ଶେଫାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଏହି ଘରୋଇ ସିରିଜରେ ହରମନପ୍ରୀତ ଅଧିନାୟିକା ଦାୟିତ୍ବ ତୁଲାଇବେ । ହରିୟାଣା ବାସିନ୍ଦା ଶେଫାଳି ପୂର୍ବରୁ ମହିଳା ଟି୨୦ ଚ୍ୟାଲେଞ୍ଜରେ ଚତ୍ମକାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ମିତାଲି ରାଜଙ୍କ ଟିମ ଭେଲୋସିଟିରେ ଖେଳି ଉତ୍ତମ ପ୍ରଦର୍ଶନ କରିଥିଲେ ।ମାତ୍ର ୧୫ ବର୍ଷ ବୟସରେ ସେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ସଚିନଙ୍କୁ ନିଜ ଆଦର୍ଶ ମାନୁଥିବା ଏହି ଯୁବ ଖେଳାଳି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରି ଦିନିକିଆ ଦଳରେ ସ୍ଥାନ ପାଇବାର ଲକ୍ଷ୍ୟ ରଖିଛନ୍ତି । ତେବେ ବୁଧବାର ବରିଷ୍ଠ ଖେଳାଳି ମିତାଲି ରାଜ ଅବସର ନେବା ପରେ ତାଙ୍କ ସ୍ଥାନରେ ଶେଫାଳିଙ୍କୁ ଚୟନ କରାଯାଇଛି । ଏହି ଟିମ ଚୟନ ସମୟରେ କମିଟି ସହ ମିତାଲି ଉପସ୍ଥିତ ଥିଲେ । ଏଥିସହ ହରମନପ୍ରୀତ ଓ କୋଚ ଡବ୍ଲୁ ଭି ରମଣ ଭିସି ଏଥିରେ ଯୋଗ ଦେଇଥିଲେ ।ବିସିସିଆଇ ହେଡକ୍ବାର୍ଟରରେ ଦଳ ଚୟନ ହୋଇଥିଲା । ସୁରତରେ ପ୍ରଥମ ମ୍ୟାଚରୁ ଏହି ଟି୨୦ ସିରିଜ ଆରମ୍ଭ ହେବ ।