ଭାରତ ବନ୍ଦକୁ ନେଇ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ୱର: ଆସନ୍ତାକାଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବନ୍ଦ ସମୟରେ ରାଜଧାନୀର ବିଭିନ୍ନ ଛକମାନଙ୍କରେ ପୋଲିସ ଫୋର୍ସକୁ ମୁତୟନ କରିବା ସହ ଷ୍ଟ୍ରାଇକିଂ ଫୋର୍ସକୁ ମଧ୍ୟ ନିୟୋଜିତକ କରାଯିବ । ଯେଉଁକାରଣରୁ ୧୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ଯେପରି କୌଣସି ପ୍ରକାରର ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜେ ତା ଉପରେ ନଜର ରଖାଯିବ ସହ ରେଳ ଓ ବସ ଚଳାଚଳ ସ୍ୱାଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ସଚିବାଳୟ ଓ ସ୍କୁଲରେ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ ।

ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା କାଲି ଜାନୁଆରୀ ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଆସନ୍ତାକାଲି ୨୪ ଘଂଟିଆ ଭାରତ ବନ୍ଦ ଡାକରା ଦେଇଛିନ୍ତି ଦେଶର ବିଭିନ୍ନ ଶ୍ରମିକ ସଂଗଠନ । ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ କରିଛନ୍ତି । ଏହି ବନ୍ଦକୁ କଂଗ୍ରେସ ନୈତିକ ସମର୍ଥନ ଦେବେ ବୋଲି ମଧ୍ୟ କହିଛନ୍ତି। ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ ।

ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ ସୂଚନା ଦେଇଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍ ଏବଂ ବୀମା କ୍ଷେତ୍ର କର୍ମଚାରୀ , ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ସାମିଲ ହେବ। ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯିବ ବୋଲି ଜଣାପଡିଛି । ସେହିଭଳି ଆମ ରାଜ୍ୟରେ ମଧ୍ୟ ଆସନ୍ତାକାଲି ଭାରତ ବନ୍ଦକୁ ସଫଳ କରିବା ପାଇଁ ,୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଂଚ ।  ବେକାରୀ, ବେରୋଜଗର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଂଟିଆ ବନ୍ଦ ଡାକରା ଦେଇଛି ମିଳିତ ମଂଚ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛି ଏହି ମଂଚ ।