ରାଜ୍ୟ ସରକାର ଦେଲେ ୧୫ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ୧୫ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୨୯ ରୁ ୧୪୩ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାରି କରାଯାଇ ସମସ୍ତ କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ଥିବା କୁହାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରୁ, ୧୪ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାଯାଇଛି । ୧୫ ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ କେସ୍ ନଂ ୯୮ଙ୍କ ସମ୍ପର୍କୀୟ ବା ପଡ଼ୋଶୀ ବୋଲି ଜଣାପଡ଼ିଛି ।  କେସ୍ ନଂ ୧୩୧,୧୩୮,୧୩୯ ଆକ୍ରାନ୍ତ ନଂ୯୬ଙ୍କ ପଡ଼ୋଶୀ । କେସ୍ ନଂ ୧୩୩, ୧୩୫, ୧୩୭ ଆକ୍ରାନ୍ତ ନଂ ୯୬ ଓ ୯୮ଙ୍କ ପଡ଼ୋଶୀ । ୧୩୦, ୧୩୨, ୧୩୪, ୧୩୮, ୧୪୧, ୧୪୨ନଂ ଆକ୍ରାନ୍ତ ୯୮ଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି ।

ଏମାନଙ୍କ ଭିତରୁ ବାଲେଶ୍ୱର ଜିଲ୍ଲାର ଯେଉଁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେ ହେଉଛନ୍ତି ୧୪୩ ନଂ କରୋନା ଆକ୍ରାନ୍ତ। ତାଙ୍କର ଘର ସିମୁଳିଆା। ସେ ଜଣେ ୫୮ ବର୍ଷ ବୟସ୍କ ପୁରୁଷ। ସେ ଟ୍ରକ୍ ଯୋଗେ କୋଲକାତାରୁ ଲକ୍ଷ୍ମଣନାଥ ଆସିଥିଲେ। ସେଠାରୁ ଏପ୍ରିଲ୍ ୨୩ ତାରିଖ ଦିନ ଅନ୍ୟ ୧୭ଜଣ ସହଯାତ୍ରୀଙ୍କ ସହ ଚାଲିଚାଲି ଜଳେଶ୍ୱରରେ ପହଂଚିଥିଲେ। ତାଙ୍କୁ ଜଳେଶ୍ୱର ଥାନାରେ ଅଟକ ରଖାଯାଇଥିଲା ଏହାପରେ ତାଙ୍କୁ ଭୋଗରାଇର ସରକାରୀ କ୍ୱାରେନଂଟାଇନ୍ ରେ ରଖାଯାଇଥିଲା। ଗତ ଏପ୍ରିଲ୍ ୩୦ ତାରିଖ ଦିନ ତାଙ୍କର ନମୁନା ପଜିଟିଭ୍ ବାହାରିବା ପରେ ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା।