ଯନ୍ତାପାଇରେ ୧୪୪ ଧାରା ଜାରି

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳ ଯନ୍ତାପାଇରେ ରାଜୁ ହନ୍ତାଳ ନାମକ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଥମୁନାହିଁ। ଗତ ସପ୍ତାହର ଏହି ଘଟଣା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ରାଜୁ ନିଖୋଜ ହେବା ପରେ ତାଙ୍କର ମୃତଦେହ ମିଳିବାରୁ ତାଙ୍କୁ ଯବାନମାନେ ଅପହରଣ କରିନେଇ ହତ୍ୟା କରିଥିବା ଅଭିଯୋଗରେ ସ୍ଥାନୀୟ ଆଦିବାସୀମାନେ ମେଳି ବାନ୍ଧୁଛନ୍ତି। ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା କରି ବିରୋଧ ପ୍ରଦର୍ଶନ ଲାଗି ଶତାଧିକ ଆଦିବାସୀ ପେପରମେଟଲା ଗ୍ରାମ ନିକଟରେ ଏକତ୍ରିତ ହେଉଛନ୍ତି। ଆଦିବାସୀଙ୍କ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ରହିଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଯନ୍ତାପାଇରେ ୧୪୪ ଧାରା ଜାରି କରାଯାଇଛି। ସାପ୍ତାହିକ ହାଟ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରାଯାଇଛି। ତେବେ ଏହି ଘଟଣା ପୁଲିସ ଓ ପ୍ରଶାସନ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି। ଘଟଣାର କିପରି ସମାଧାନ ହେବ ସେନେଇ ମଧ୍ୟ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ରାଜୁ ତାଙ୍କ ୨ ଝିଅ ସହିତ ସାପ୍ତାହିକ ହାଟକୁ ଯାଇଥିଲେ। ସେଠାରୁ ଯବାନଙ୍କ ଭଳି ପୋଷାକ ପିନ୍ଧିଥିବା ୨ ଜଣ ବ୍ୟକ୍ତି ତାଙ୍କୁ କେଉଁଆଡ଼େ ଡାକି ନେଇଥିଲେ। ରାଜୁଙ୍କ ପତ୍ତା ଆଉ ମିଳି ନ ଥିଲା। ପରେ ରବିବାର ଦିନ ଯନ୍ତାପାଇର ଅଙ୍ଗନୱାଡ଼ି କେନ୍ଦ୍ରରେ ରାଜୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହରେ କ୍ଷତଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଏବଂ ରାଜୁଙ୍କୁ ଡାକିନେଇଥିବା ଯବାନ ଏହି ହତ୍ୟାକାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।