ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ

ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ  ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା।

ଗୁରୁବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ଶିବଲେଖଙ୍କ କାର୍‌ ଓ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଶିବଲେଖଙ୍କ ସହିତ ତାଙ୍କ ବାପାମା’ ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳି ଯାଇଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶିବଲେଖ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବାକୁ ପରିବାର ସହ ବିଳାସପୁରରୁ ରାୟପୁର ଯାଉଥିଲେ। ମାତ୍ର ବାଟରେ ଘଟିଗଲା ଏହି ଦୁର୍ଘଟଣା। ଏଥରେ ଶିବଲେଖଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମା’ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣା ପରେ ଟ୍ରକ୍‌ ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା।

ଶିବଲେଖଙ୍କ ପରିବାର ମୂଳତଃ ଛତିଶଗଡ଼ର ବାସିନ୍ଦା। ହେଲେ ତାଙ୍କ ବାପାମା’ ୧୦ ବର୍ଷ ହେବ ମୁମ୍ବାଇରେ ରହୁଛନ୍ତି। ଶିବଲେଖ ବହୁ ହିନ୍ଦୀ ସିରିଏଲରେ କାମ କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି ‘ସଙ୍କଟମୋଚନ ହନୁମାନ’, ‘ବାଲବୀର’ ଓ ‘ଶଶୁରାଲ ସିମରା କା’। କିଛି ରିଆଲିଟି ଶୋ’ରେ ଅଂଶଗ୍ରହଣ କରି ମଧ୍ୟ ସେ ପ୍ରଶଂସିତ ହୋଇଥିଲେ।