ରାଜ୍ୟରେ ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍ ଅବଧି

ବିବାହରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ, ଭୋଜିଭାତ ହୋଇପାରିବ ନାହିଁ

ଭୁବନେଶ୍ୱର : ରାଜ୍ୟରେ ବଢିଲା ଲକଡାଉନ୍ । ଓଡିଶାରେ କରୋନା ସଂକ୍ରମଣ ବଢୁଥିବା ବେଳେ ଲକଡାଉନର ଅବଧିକୁ ମଧ୍ୟ ଜୁନ ୧ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରେସ ବାର୍ତ୍ତାରେ ଘୋଷଣା କରିଛନ୍ତି ।

ଲକଡାଉନକୁ ସରକାର ୨ ସପ୍ତାହ ବୃଦ୍ଧି କରିଛନ୍ତି । ଲକଡାଉନ୍ କଟକଣା ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି । ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ପୂର୍ବାପେକ୍ଷା କଟକଣାକୁ ବଢ଼ାଯାଇଛି । ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଚାଲି ଚାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣି ପାରିବେ । ଲକଡାଉନ୍ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମାଲ୍ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ । ବିବାହରେ ସର୍ବାଧିକ ୨୫ ଜଣ ସାମିଲ୍ ହୋଇପାରିବେ । ବର, କନ୍ୟା, ଅତିଥି ସମସ୍ତଙ୍କୁ ମିଶାଇ ସର୍ବାଧିକ ୨୫ ଜଣ ଭାଗନେବେ । ଭୋଜିଭାତ ହୋଇପାରିବ ନାହିଁ । କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ । ବିବାହ, ଅନ୍ତ୍ୟେଷ୍ଟି ଆଦି ସମସ୍ତ କାର୍ଯ୍ୟରେ କେହି ଖାଇ ପାରିବେ ନାହିଁ । କେବଳ ପ୍ୟାକେଟ୍ ଖାଦ୍ୟ ଦିଆଯାଇ ପାରିବ ।

ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ ଚାଲିବ । ସମସ୍ତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଜାରି ରହିବ । ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ ପଞ୍ଚାୟତିରାଜ ସଂସ୍ଥା ନିଜ ଅଞ୍ଚଳରେ ଅନ୍ୟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବେ । ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବା ନେଇ ଗୁରୁତ୍ୱ ଦେବେ । ଘରକୁ ଘର ବୁଲି ୩ ମାସ ଯାଏ କ୍ୟାମ୍ପେନ୍ କରାଯିବ । କରୋନା ଲକ୍ଷଣ ଥିଲେ ଟେଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଲକଡାଉନ୍ ସମୟରେ ସାଧାରଣ ପରିବହନ ସେବା ଯେମିତି ବସ୍ ସେବା ବନ୍ଦ ରହିବ । ମେଡିକାଲ ଛଡ଼ା ଅନ୍ୟ କୌଣସି ପରିସ୍ଥିତିରେ ଆନ୍ତଃରାଜ୍ୟ ଯାତାୟତ କରିପାରିବେ ନାହିଁ । ସମସ୍ତ ପ୍ରକାର ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିବ । ସମସ୍ତ ମେଳା, ବୈଠକକୁ ବାତିଲ୍ କରାଯାଇଛି, ଭର୍ଚୁଆଲ୍ ବୈଠକ ହୋଇପାରିବ । ଗାଇଡଲାଇନ୍ ଅନୁସାରେ ମତଦାନ ହୋଇପାରିବ ।

ସିନେମା ହଲ୍, ମଲ୍, ମାର୍କେଟ୍, ଜିମ୍, ସ୍ୱିମିଂ ପୁଲ୍, ଥିଏଟର, ପାର୍କ, ବାର, ଯାତ୍ରା ସବୁ ବନ୍ଦ ରହିବ । ସେଲୁନ୍, ସ୍ପା, ବିଉଟି ପାର୍ଲର ବନ୍ଦ ରହିବ । ସମସ୍ତ ପ୍ରକାର ସାମାଜିକ, ରାଜନୀତିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଲକଡାଉନ୍ ସମୟରେ ବିବାହ ଉତ୍ସବ ପ୍ରଶାସନର ଅନୁମତି ନେଇ ହୋଇପାରିବ । ସର୍ବାଧିକ ୫୦ ଜଣ ବିବାହରେ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୨୦ ଜଣ ସାମିଲ୍ ହୋଇପାରିବେ ।

ଏହି ସମୟରେ ହସ୍ପିଟାଲ୍, ନର୍ସିଂ ହୋମ୍, କ୍ଲିନିକ୍, ଟେଲି ମେଡିସିନ୍ ସେବା ଜାରି ରହିବ । ସମସ୍ତ ପ୍ରକାର ଔଷଧ ଦୋକାନ ଖୋଲା ରହିବ । ସ୍ୱାସ୍ଥ୍ୟସେବା ସହ ଜଡ଼଼ିତ ସମସ୍ତ ସଂସ୍ଥା ଓ କାର୍ଯ୍ୟାଳୟ ଖୋଲା ରହିବ । ଆରବିଆଇ ଏବଂ ଆରବିଆଇ ଦ୍ୱାରା ପରିଚାଳିତ ଆର୍ଥିକ ସଂସ୍ଥା, ଏଟିଏମ ସେବା, ବ୍ୟାଙ୍କ ଖୋଲା ରହିବ ।

ପେଟ୍ରୋଲ୍ ପମ୍ପ, ଏଲପିଜି ସିଲିଣ୍ଡର କେନ୍ଦ୍ର ଖୋଲା ରହିବ । ପୋଷ୍ଟ ଅଫିସ ଖୋଲା ରହିବ । ଟେଲିକମ୍, ଡିଟିଏଚ୍, ଇଣ୍ଟରନେଟ୍ ସେବାରେ କାର୍ଯ୍ୟରତ ଲୋକଙ୍କୁ ଯାତାୟତ ଅନୁମତି ରହିଛି । ଏହି ସମୟରେ ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଓ ଢାବା କେବଳ ପାର୍ସଲ ଦେଇପାରିବେ । ଅନଲାଇନ୍ ଡେଲିଭରୀ ସେବା ଜାରି ରହିବ । ଗଣମାଧ୍ୟମ ଉପରେ କଟକଣା ରହିବ ନାହିଁ ।

ଗୃହ ନିର୍ମାଣ ସାମଗ୍ରୀ ରଖୁଥିବା ଦୋକାନ ଖୋଲା ରହିବ । ବହି ଦୋକାନ ମଧ୍ୟ ଖୋଲା ରହିବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବିତରଣ କରାଯାଇ ପାରିବ । ମାଲପରିବହନ ଉପରେ କୌଣସି କଟକଣା ନାହିଁ । ସମସ୍ତ ପ୍ରକାର ଚାଷକାର୍ଯ୍ୟ ଜାରି ରହିବ । ସମସ୍ତ ଶିଳ୍ପାଞ୍ଚଳ କୋଭିଡ୍ ଗାଇଡଲାଇନ୍ ମାନି କାର୍ଯ୍ୟ କରିବେ ।

ଘରୋଇ ଓ କର୍ପୋରେଟ୍ ସଂସ୍ଥା ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ଅନ୍ୟମାନେ ଘରୁ କାର୍ଯ୍ୟ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା ଓ ହ୍ୟାଣ୍ଡ ସାନିଟାଇଜ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ ।

14 days more lockdown imposed in odisha