କରୋନାରେ ପୁଣି ୧୪ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ପୁଣି ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଆଜି ଯେଉଁ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ , କେନ୍ଦ୍ରାପଡ଼ା ଓ ଯାଜପୁରରୁ ୨ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ବଲାଙ୍ଗୀର, ଢେଙ୍କାନାଳ, ଗଜପତି ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧାରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୪୨ ଓ ୫୮ ବର୍ଷ ବୟସ୍କ ପୁରୁଷ  ଓ ଜଣେ ୬୭ ବର୍ଷ ବୟସ୍କା ମହିଳା ଅଛନ୍ତି। କଟକରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୪୨ ଓ ୫୬ ବର୍ଷ ବୟସ୍କ ପୁରୁଷ  ଓ ଜଣେ ୪୫ ବର୍ଷ ବୟସ୍କା ମହିଳା ଅଛନ୍ତି।  କେନ୍ଦ୍ରାପଡ଼ାରେ  ଜଣେ ୫୨ ବର୍ଷ ବୟସ୍କ ପୁରୁଷ  ଓ ଜଣେ ୩୫ ବର୍ଷ ବୟସ୍କା ମହିଳା ଅଛନ୍ତି। ଯାଜପୁରର ଜଣେ ୬୫ବର୍ଷ ବୟସ୍କ ପୁରୁଷ  ଓ ଜଣେ ୫୫ ବର୍ଷ ବୟସ୍କା ମହିଳା ଅଛନ୍ତି। ବଲାଙ୍ଗୀର, ଢେଙ୍କାନାଳ, ଗଜପତି ଓ ସୁବର୍ଣ୍ଣପୁରରୁ  ଯେଉଁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ସେମାନଙ୍କର ବୟସ ଯଥାକ୍ରମେ ୬୦, ୪୫, ୬୩ (ପୁରୁଷ) ଓ ୩୧ ବର୍ଷୀୟ ମହିଳା ଅଛନ୍ତି।