କାଳିଆର ଅଛି ୧୨ ହଜାର ଭରି ସୁନା ଅଲଙ୍କାର, ଜାଣନ୍ତୁ କି ଅଳଙ୍କାର କେତେ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ଆକଳନ ଶେଷଥର ଲାଗି ୧୯୭୮ ମସିହାରେ ହୋଇଥିଲା । ସେତେବେଳେ କରାଯାଇଥିବା ଆକଳନ ଅନୁଯାୟୀ ଏହି ଭଣ୍ଡାରରେ ୧୨ହଜାର ଭରିରୁ ଅଧିକ ଓଜନର ସୁନା ଅଳଙ୍କାର ଓ ରତ୍ନପଥର ଥିବା ବେଳେ ରୁପା ବାସନକୁସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷର ଓଜନ ୨୨ହଜାର ଭରିରୁ ଅଧିକ ରହିଛି ।

ଏହାଛଡ଼ା ୧୪ଟି ସୁନା ଓ ରୁପା ଜିନିଷ ଓଜନ ନ ହୋଇ ରତ୍ନ ଭଣ୍ଡାରରେ ଗଚ୍ଛିତ ଅଛି । ବିଧାୟକ ଦିଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଚଳିତବର୍ଷ ଏପ୍ରିଲ ୪ ତାରିଖ ଦିନ ରତ୍ନଭଣ୍ଡାର ଚାବି ନ ମିଳିବା ଘଟଣା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ରତ୍ନଭଣ୍ଡାରରେ ଥିବା ଶ୍ରୀଜିଉଙ୍କ ମୂଲ୍ୟବାନ ଅଳଙ୍କାର ସାମଗ୍ରୀଗୁଡ଼ିକ ୧୯୭୮ ମସିହା ମଇ ୧୩ ତାରିଖଠାରୁ ଜୁଲାଇ ୨୩ ତାରିଖ ମଧ୍ୟରେ ଅନୁଧ୍ୟାନ କରାଯାଇ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ଏହି ଅଳଙ୍କାରଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।

ପ୍ରଥମ ବର୍ଗର ଅଳଙ୍କାର ବ୍ୟବହାର ହେଉନଥିବା ସ୍ଥଳେ ଦ୍ୱିତୀୟ ବର୍ଗର ଅଳଙ୍କାର ପର୍ବପର୍ବାଣିରେ ଓ ଦୈନନ୍ଦିନ ରୀତିରେ ତୃତୀୟ ବର୍ଗର ଅଳଙ୍କାର ବ୍ୟବହାର କରାଯାଉଛି । ଦ୍ୱିତୀୟ ବର୍ଗର ଅଳଙ୍କାରଗୁଡ଼ିକୁ ସମ୍ପୃକ୍ତ ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଉପଯୁକ୍ତ ରସିଦ୍ ମାଧ୍ୟମରେ ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଏ । ଭଣ୍ଡାର ମେକାପ ଏହି ପଦ୍ଧତିରେ ମଧ୍ୟ ନେଇଥିବା ସାମଗ୍ରୀକୁ ଫେରସ୍ତ କରନ୍ତି । ୧୯୭୮ ମସିହାରେ ରତ୍ନଭଣ୍ଡାରରେ କରାଯାଇଥିବା ଆକଳନ ଅନୁଯାୟୀ ୧୨,୮୩୮ ଭରି ୧ ଅଣା ମୂଲ୍ୟର ସୁନା ଅଳଙ୍କାର ଓ ମୂଲ୍ୟବାନ ରତ୍ନପଥର ଥିବା ବେଳେ ୨୨,୧୫୩ ଭରି ଓଜନର ରୁପା ବାସନକୁସନ, ପୂଜା ସାମଗ୍ରୀ, ମୂଲ୍ୟବାନ ପଥର ଓ ଅନ୍ୟାନ୍ୟ ଜିନିଷ ରହିଛି ।