୪ ମହଲା କୋଠା ଭୁଶୁଡ଼ି ୧୨ ମୃତ: ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ମଧ୍ୟାହ୍ଣ ୧୧.୪୫ରେ ଘଟିଥିବା ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେହିପରି ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ୭ରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏବେ ବି ଧ୍ୱଂସାବଶେଷ ତଳେ ୪୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଇଛି। ଦୁର୍ଘଟଣା ସ୍ଥଳଟି ଏକ ଛୋଟିଆ ଗଳିରେ ଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଥିବା ଜଣାପଡ଼ିଛି। ୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ସେମାନଙ୍କୁ ସ୍ଥାନୀୟ ପୁଲିସ୍‌ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି।

ଡୋଙ୍ଗ୍ରୀର ତାନ୍ଦେଲ ରାସ୍ତାରେ ଥିବା କେସରବାଈ ବିଲଡିଂଟି ଭୁଶୁଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ୧୦୦ ବର୍ଷ ତଳର କୋଠା। ଏହି ବିଲଡିଂରେ ୧୫ଟି ପରିବାରର ସଦସ୍ୟମାନେ ରହୁଥିଲେ। ଏବେ ସମସ୍ତ ସଦସ୍ୟ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ହାଉସିଂ ବୋର୍ଡ ମୁଖ୍ୟ ଉଦୟମ ସାମନ୍ତ ସବୁ ଦୋଷ ଏହାକୁ ନିର୍ମାଣ କରିଥିବା ବିଲଡର ଉପରେ ଲଦି ଦେଇଛନ୍ତି। ଏଥିସହ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି। ସେ କହିଛନ୍ତି, “୨୦୧୨ରେ ଡୋଙ୍ଗ୍ରୀରେ ଥିବା ଏହି ବିଲଡିଂର ମରାମତି କରିବାକୁ ବିଲଡରଙ୍କୁ କୁହାଯାଇଥିଲା। ତେବେ ସେ ଏଯାଏ ଏହାର ତଦାରଖ କରିନାହାନ୍ତି। ଏବେ ଏହାର ତଦନ୍ତ ହେବ।”