୧୨ ଘଂଟିଆ ନବରଙ୍ଗପୁର ବନ୍ଦ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଶୀଘ୍ର ଗିରଫ ଦାବି

ନବରଙ୍ଗପୁର: ଡିସେମ୍ବର ୧୪ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ପରେ ହତ୍ୟା ଘଟଣାରେ ପୋଲିସ ଏଯାଏଁ ଅଭିଯୁକ୍ତକୁ ଗିରଫ କରିବାରେ ଅସଫଳ ରହିଛି । ତେବେ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି ।

ବିଲ ମଝିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ପୋଲିସ ଏଯାଏଁ ଦୋଷୀକୁ ଗିରଫ କରି ପାରିନାହିଁ । ପୋଲିସ କୁନ୍ଦୁଲି ମାମଲା ଭଳି ଏହି ଘଟଣାକୁ ମଧ୍ୟ ଲଚାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ଡାକରାରେ କଂଗ୍ରେସ ପକ୍ଷରୁ ୧୨ଘଂଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ଆଜି ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ଅଟକି ରହିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୋକାନବଜାର ମଧ୍ୟ ବନ୍ଦ ରହିଛି । ଏହି ଘଟଣାରେ ପୋଲିସ ଖୁବଶୀଘ୍ର ତଦନ୍ତ କରି ଦୋଷୀକୁ ଗିରଫ ନ କଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଂଚଳ ଗୁମଣ୍ଡଳୀ ଗାଁରେ ଏକ ବିଲ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ୧୩ ତାରିଖ ବିଳମ୍ବିିତ ରାତିରେ ୧୬ବର୍ଷର ଜଣେ ନବାଳିକା ପରିଶ୍ରା କରିବାକୁ ଘର ବାହାରକୁ ଯାଇଥିଲେ । କିନ୍ତୁ ଆଉ ଫେରି ନଥିଲେ । ତା ପରଦିନ ସକାଳୁ ବିଲ ମଝିରେ ତାଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ନାବାଳିକାଙ୍କ ମୃତଦେହ ପଡ଼ିଥିବା ସ୍ଥାନରେ ୨ଟି ଯୁବକଙ୍କ ପ୍ୟାଂଟ ପଡ଼ିଥିଲା । ତେବେ ତାଙ୍କୁ କେହି ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ।