ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ଭୁଶୁଡ଼ିଲା ପାହାଚ: ୧୨ ଛାତ୍ରୀ ଆହତ

ରାୟଗଡ଼ା:  ହାଇସ୍କୁଲ ହଷ୍ଟେଲ୍‌ର ଶିଡ଼ି ଉପରେ ଠିଆ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ପାହାଚ ଗୁଡ଼ିକ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ ଘଟିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ କାଶିପୁର ବ୍ଲକର ଟିକିରି ଉତ୍ସବ ମୁଖର ହୋଇଛି। ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିବାର ଦୃଶ୍ୟ ଦେଖିବା ପାଇଁ ଟିକିରି ସରକାରୀ ହାଇସ୍କୁଲର ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀମାନେ ସ୍କୁଲ ପରିସରରେ ରାସ୍ତା ପାର୍ଶ୍ୱରେ ଥିବା ଏକ ପକ୍କା ଘରର ଛାତ ଉପରକୁ ଯାଇଥିବା ଶିଡ଼ିରେ ଠିଆ ହୋଇଥିଲେ। ଠିକ୍‌ ଏହି ସମୟରେ ଶିଡ଼ିର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଟିକିରି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ କୋରାପୁଟର ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।