ଜାପାନରେ ଫସିଥିବା ଓଡ଼ିଆ ପୁଅ ଶିବାଶିଷ୍ ଙ୍କ ସମେତ ୧୧୯ ଜଣ ଭାରତୀୟ ସ୍ୱଦେଶକୁ ଫେରିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: କୋରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ କ୍ରୁଜ୍ ଜାହାଜ “ଡାଇମଣ୍ଡ ପ୍ରିନସେସ୍‌” ରେ ଫସି ରହିଥିବା ୧୧୯ଜଣ ଭାରତୀୟ ସ୍ୱଦେଶକୁ ଫେରିଛନ୍ତି । ସେମାନଙ୍କୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ସକାଳେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ଶିବାଶିଷ ନାୟକ ମଧ୍ୟ ସ୍ୱଦେଶ ଫେରିଥିବା ସୂଚନା ମିଳିଛି ।

ଶିବାଶିଷ ଫେରିବା ଖବର ପାଇ ତାଙ୍କ ପରିବାରକୁ ଆଶ୍ୱସ୍ତି ମିଳିଛି । ଆଜି ସକାଳ ୫ଟାରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ୧୧୯ ଜଣ ଭାରତ ଫେରୁଥିବା ବେଳେ ସେଥିରେ ଶିବାଶିଷ ମଧ୍ୟ ଫେରୁଛନ୍ତି । ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ହେଲେ ବ୍ରହ୍ମପୁର ସହରର । ଜାପାନରେ ଶିବାଶିଷଙ୍କ କରୋନା ଟେଷ୍ଟ ନେଭେଟିଭ୍ ଆସିଛି । କିନ୍ତୁ ଭାରତ ଫେରିବା ପରେ ଅନ୍ୟମାନଙ୍କ ସମେତ ଶିବାଶିଷଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ପରୀକ୍ଷା କରାଯିବ। ଏହି ଭାରତୀୟଙ୍କ ସହ ୫ ଜଣ ବିଦେଶୀ ନାଗରିକ ମଧ୍ୟ ଭାରତ ଆସିଛନ୍ତି । ବିଦେଶୀ ନାଗରିକମାନେ ହେଲେ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ଥିବା ସୂଚନା ମିଳିଛି । ଭାରତ ଏହି ଲୋକଙ୍କୁ ବିମାନରେ ସ୍ଥାନାନ୍ତରିତ ପାଇଁ ସହଯୋଗ କରିଥିବାରୁ ଜାପାନକୁ ଧନ୍ୟବାଦ ଜଣାଇଛି । ସବୁଠାରୁ ବଡ଼ କଥା ହେଲା ଯେ, ବାୟୁସେନାର ଏକ ବିମାନ ଉହାନ ସହରରୁ ମଧ୍ୟ ୧୧୨ ଜଣ ଭାରତୀୟଙ୍କୁ ନେଇ ଆସିଛି ।

ସୂଚନାଯୋଗ୍ୟ, କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନ୍ସସେସ ମୋଟ ୩୭୧୧ ଜଣ ଲୋକଙ୍କୁ ନେଇ ଆସିଥିଲା । ଏଥିରେ ୧୩୮ ଜଣ ଭାରତୀୟ ଥିଲେ । ଭାରତୀୟମାନଙ୍କ ମଧ୍ୟରେ ୧୩୨ ଜଣ ଚାଳକ ଦଳର ସଦସ୍ୟ ଥିଲେ । ଅନ୍ୟ ୬ ଜଣ ଥିଲେ ଯାତ୍ରୀ । ଅନ୍ୟ ଭାରତୀୟଙ୍କ ଜାପାନରେ ହିଁ ଚିକିତ୍ସା ଜାରି ରହିଛି । ଏହି ଯାତ୍ରୀମାନଙ୍କୁ କରୋନା ଭାଇରସ ସନେ୍ଦହରେ ଜାପାନର ଏକ ଉପୂକଳରେ ଫେବୃୟାରୀ ୫ରୁ ରଖାଯାଇଥିଲା ।