କେନ୍ଦ୍ରାପଡାରେ କରୋନା ଚିହ୍ନଟ ପରେ ଆଳିର ୧୧ଟି ଗାଁ ସିଲ

ଭୁବନେଶ୍ୱର: ଗତକାଲି କେନ୍ଦ୍ରାପଡାରେ କରୋନା ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ଆଳିର ୧୧ଟି ଗାଁକୁ ସିଲ କରିଛି ପ୍ରଶାସନ ।

ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ୱାରେନଂଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି। ଆକ୍ରାନ୍ତଙ୍କ ଗାଁର ୩ କିମି ଭିତରେ ଥିବା ୧୧ଟି ଗାଁକୁ ସିଲ୍ କରି ଦିଆଯାଇଛି। କରୋନା ଆକ୍ରାନ୍ତଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ଆକ୍ରାନ୍ତଙ୍କ ଗାଁରେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ସଂପର୍କରେ ବୁଝାଯିବ। ସଂପୃକ୍ତ ଅଂଚଳର କେହି ବାହାରକୁ ଯିବା ଆସିବା କରିପାରିବେନି। ଆକ୍ରାନ୍ତ ବ୍ୟକ୍ତି କ୍ୱାରେନଂଟାଇନ୍ ରେ ଥିବାରୁ କୌଣସି ଲୋକ ଆତଙ୍କିତ ନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

୩୨ ବର୍ଷିୟ କରୋନା  ଆକ୍ରାନ୍ତ ଯୁବକ ଜଣଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳରେ ଥିବା ବେଳେ ସେ ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ ବୋଲି ଜଣାପଡ଼ିଛି ।