ଗୋଟିଏ ଦିନରେ ୧୦୩୮ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲଖୁଂଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଜି ଏକ ନୂଆ ମାଇଲଖୁଂଟ ପ୍ରତିଷ୍ଠା ହୋଇଛି । ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ୧୦୩୮ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ।

ଆଜି ଲୋକସେବା ଭବନ କନଭେନସନ୍ ସେଂଟର ଅନୁଷ୍ଠିତ ନବ ନିଯୁକ୍ତ ଡାକ୍ତରମାନଙ୍କ ଇନଡକ୍ସନ ଟ୍ରେନିଂ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଆଜି ଦିନଟି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଐତିହାସିକ ଦିବ ଭାବେ ବର୍ଣ୍ଣନା କରିଛନ୍ତି । ଗୋଟିଏ ଦିନରେ ୧୦୩୮ ଜଣ ନିଯୁକ୍ତି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରି ଲୋକଙ୍କ ସେବାକୁ ନିଜର ଧର୍ମ ଭାବେ ବିଚାର କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନୂତନ ଡାକ୍ତରମାନଙ୍କୁ ମୋ ସରକାର ସଂକଳ୍ପ ପାଠ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉଦବୋଧନ ଦେଇ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ଯେପରି ଲୋକଙ୍କ ପାଖରେ ଠିକ୍ ଭାବେ ପହଂଚିପାରିବ, ସେଥିପାଇଁ ଯତ୍ନବାନ ହେବାକ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହିତ ମୋ ସରକାରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଡାକ୍ତରମାନଙ୍କୁ ବୁଝାଇଥିଲେ । ନୂତନ ଡାକ୍ତରମାନେ କିପରି ରୋଗୀସେବା କ୍ଷେତ୍ରରେ ଏକ ରୂପାନ୍ତରିତ ଭୂମିକା ଗ୍ରହଣ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୮୭୧୯ଟି ଡାକ୍ତର ପଦବୀ ମଧ୍ୟରୁ ବର୍ତମାନ ୫୪୧୪ଜଣ ନିୟମିତ ଡାକ୍ତର କାର୍ଯ୍ୟ କରୁଛନ୍ତି । ନିକଟରେ ଓପିଏସସି ୧୪୦୩ଜଣ ଡାକ୍ତରଙ୍କୁ ଚୟନ କରିଥିବାବେଳେ ତନ୍ମଧ୍ୟରୁ ୧୦୩୮ ଜଣ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଖୁବଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କୁ ନିଯୁକ୍ତି ଦିଆଯିବ ।