ଓଡିଶାରେ ବଢିଲା ୧୦୦ଟି ମେଡିକାଲ ସିଟ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଆହୁରି ୧୦୦ଟି ସିଟ୍ ବୃଦ୍ଧି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

ଓଡିଶାର ବିଭିନ୍ନ ମେଡିକାଲ କଲେଜରେ ଥିବା ସିଟ୍ ବୃଦ୍ଧି କରିବା ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା । ତେବେ ଇଡବ୍ଲ୍ୟୁଏସ କୋଟାରେ ବିଭିନ୍ନ ମେଡିକାଲ କଲେଜରେ ୧୦୦ ଟି ସିଟ୍ ବୃଦ୍ଧି କରାଯାଇଛି । ଏନେଇ ସ୍ୱାସ୍ଥ୍ୟବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବୁର୍ଲା ମେଡିକାଲ କଲେଜରେ ୫୦ଟି ସିଟ୍ ବୃଦ୍ଧି ପାଇଥିବା ବେଳେ କୋରାପୁଟ ଓ ମୟୂରଭଞ୍ଜରେ ୨୫ଟି ଲେଖାଏଁ ସିଟ୍ ବୃଦ୍ଧି କରାଯାଇଛି । ସିଟ୍ ବୃଦ୍ଧି ପାଇବା ପରେ ବୁର୍ଲା ବୀର ସୁରେନ୍ଦ୍ରସାଏ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ୨୦୦ରେ ପହଁଚିଛି । ଯାହା ପୂର୍ବରୁ ୧୫୦ ଥିଲା । ସେହିପରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ଟି ସିଟ୍ ବୃଦ୍ଧି ପାଇ ମୋଟ୍ ସିଟ୍ ସଂଖ୍ୟା ୧୨୫ରେ ପହଁଚିଛି । ଏତତ୍ ବ୍ୟତୀତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୨୫ଟି ସିଟ୍ ବୃଦ୍ଧି ପାଇ ୧୨୫ରେ ପହଁଚିଛି ।

ସୂଚନାଯୋଗ୍ୟ କି, ମେଡ଼ିକାଲ କାଉନସିଲ ଅଫ୍ ଇଣ୍ଡିଆ ଗତ ୨୧ତାରିଖରେ ଓଡ଼ିଶାରେ ୧୦୦ଟି ମେଡ଼ିକାଲ ସିଟ୍ ବୃଦ୍ଧି କରିବା ପାଇଁ ଅନୁମତି ପ୍ରଦାନ କରିଥିଲା ।