ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟାର କୋଭିଡ କେୟାର ସେଂଟର

ପୁରୀ: ପୁରୀର ଶଅୀ ଜଗନ୍ନାଥ ମେଡିକାଲରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ କରାଯାଇଛି । ଏଠାରେ ୪୫ଜଣ ଡାକ୍ତରଙ୍କୁ ମୁତୟନ କରାଯାଇଛି। ସେହିଭଳି ୩୦୦ରୁ ଅଧିକ ପାରା ମେଡିକାଲ୍ ଷ୍ଟାଫ, ରେଡିଓଲୋଜିଷ୍ଟ, ଫାର୍ମାସିଷ୍ଟ, ନନ୍ ଟେକ୍ନିକାଲ୍ ଷ୍ଟାଫଙ୍କୁ ମୁତୟନ କରାଯାଇଛି। ଏଥିପାଇଁ ଆବଶ୍ୟକ ଡାକ୍ତରୀ ଉପକରଣର ବ୍ୟବସ୍ଥା କରାଯାଇଛି। ରୋଗୀଙ୍କ ପାଇଁ ଅକ୍ସିଜେନ୍, ନିବୁଲାଇଜର ଆଦିର ସୁବିଧା କରାଯାଇଛି। ଏଡିଏମ ରାଙ୍କର ଦୁଇ ଅଧିକାରୀଙ୍କୁ ଡାକ୍ତରଖାନା ତତ୍ୱାବଧାନ ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଦୁଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ପରିଚାଳିତ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।

ଏ ସଂପର୍କରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି, ୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାର ଶୁଭାରମ୍ଭ କରାଯାଇଥିବାବେଳେ ଏଥିରୁ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ୬୦ଟି ଶଯ୍ୟା ଓ ଆଇଡିଏଚରେ ୪୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଏଠାରେ ରୋଗୀମାନେ ଚିକିତ୍ସା ସୁବିଧା ପାଇପାରିବେ। ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜରେ ୧୦୦ ଶଯ୍ୟାବିଶିଷ୍ଟ କୋଭିଡ଼ କେୟାର ସେଂଟର ଖୋଲା ଯାଇଥିବାବେଳେ ଏଠାରେ ‘କରୋନା’ ସନ୍ଦିଗ୍ଧଙ୍କୁ ଡାକ୍ତରୀ ପରୀକ୍ଷା ଓ ପ୍ରାଥମିକ ଚିକିତ୍ସା ସେବାର ସୁବିଧା ଯୋଗାଇ ଦିଆଯିବ। ଡାକ୍ତରୀ ପରୀକ୍ଷା ପରେ ଯେଉଁମାନେ ସ୍ୱଳ୍ପ ତଥା ମଧ୍ୟମ ଧରଣର ରୋଗାକ୍ରାନ୍ତ ଥିବେ ସେମାନଙ୍କୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଆଇଡିଏଚକୁ ପଠାଯିବ। ସେଠାରେ ଡାକ୍ତରୀ ଚିକିତ୍ସା ସେବା ଯୋଗାଇ ଦିଆଯିବ। ସଂକ୍ରମଣର ମାତ୍ରା ଦେଖି ରୋଗୀଙ୍କ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।