ଆଜି ବରଗଡ଼ରୁ ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼: ବରଗଡ଼ ଜିଲାରେ ଆଜି ପୁଣି ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର। ସେମାନଙ୍କ ମଧ୍ୟରେ ୩ ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଜଣେ ଆଶାକର୍ମୀ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ରେ ପହଞ୍ଚିଛି । ତେବେ କଟାପାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଘଟଣା ଏଠାରେ ଚିନ୍ତା ବଢ଼ାଇ ଦେଇଛି । ଗତ ୧୬ ତାରିଖରେ ଏହି ଗ୍ରାମରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କେବଳ କଟାପାଲି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪୧ରେ ପହଞ୍ଚିଛି। ତେବେ ଗତ ୧୬ ତାରିଖରୁ କଟାପାଲିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ ଘୋଷଣା କରାଯାଇଛି।