୭୧ କୋଟିରେ ବିକ୍ରି ହେଲା ମାରାଡୋନାଙ୍କ ଜର୍ସି

ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଆଉ ଆମ ସହ ନାହାନ୍ତି। ହେଲେ ଏବେ ବି ଏହି ଯାଦୁକରୀ ଫୁଟବଲରଙ୍କ ସ୍ମୃତି ସମସ୍ତଙ୍କ ମନରେ ରହିଛି। ମାରାଡୋନାଙ୍କୁ ହ୍ୟାଣ୍ଡ ଅଫ ଗଡ ମଧ୍ୟ କୁହାଯାଏ। ଏବେ ତାଙ୍କର ସେହି ହ୍ୟାଣ୍ଡ ଅଫ ଗଡ୍‌ ଜର୍ସିକୁ ନିଲାମ କରାଯାଇଛି। ଆଉ ନିଲାମ ବେଳେ ମାରାଡୋନାଙ୍କ ଜର୍ସି ନେବାକୁ ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା। ଶେଷରେ ଜର୍ସିଟି ୯.୨ ମିଲିୟନ ଡଲାର ବା ପ୍ରାୟ ୭୧ କୋଟି ଟଙ୍କାରେ ନିଲାମ ହୋଇଛି।

୧୯୮୬ ଫୁଟବଲ ବିଶ୍ୱକପ ସମୟରେ ମାରାଡୋନା ଏହି ଜର୍ସି ପିନ୍ଧିଥିଲେ। ସେହି ବର୍ଷ ଆର୍ଜେଣ୍ଟିନା ବିଶ୍ୱ ବିଜେତା ହୋଇଥିଲା। ତେବେ ଅସଲ ଲଢ଼େଇ କ୍ୱାର୍ଟର ଫାଇନାଲରେ ଦେଖିବାକୁ ମିଳିଥିଲା। ମାରାଡୋନାଙ୍କ ମାଷ୍ଟର ଷ୍ଟ୍ରାଇକ ଯୋଗୁ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ପୂରା ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା। ଇଂଲଣ୍ଡର ମିଡ୍‌ ଫିଲ୍ଡର ଷ୍ଟେଭ ହୋଡଗେ ମ୍ୟାଚ୍‌ ପରେ ମାରାଡୋନାଙ୍କ ସହ ଗଞ୍ଜି ଅଦଳବଦଳ କରିଥିଲେ। ଏବେ ମାରାଡୋନାଙ୍କ ଅବର୍ତ୍ତମାନରେ ଷ୍ଟେଭ ୨୦୨୨ ଏପ୍ରିଲ ୬ରେ ଜର୍ସିକୁ ଲଣ୍ଡନରେ ଆୟୋଜିତ ନିଲାମରେ ସାମିଲ କରିଥିଲେ।

ଅକ୍ସନ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ପୂର୍ବ କେବେ ହେଲେ କୌଣସି ଫୁଟବଲ ଖେଳାଳିଙ୍କ ଜର୍ସି ଏତେ ଦାମରେ ବିକ୍ରି ହୋଇ ନଥିଲା। ଏବେ ମାରାଡୋନାଙ୍କ ଜର୍ସି ଅକ୍ସନରେ ରେକର୍ଡ କରିଛି। ତାଙ୍କ ଜର୍ସିକୁ ୯.୨ ମିଲିୟନ ଡଲାରେ ଜଣେ କିଣିଛନ୍ତି।

ଆର୍ଜେଣ୍ଟିନା ପକ୍ଷରୁ ଲଗାତର ୪ଟି ବିଶ୍ୱକପ ଖେଳିଥିବା ଏହି ମହାନ ଫୁଟବଲରଙ୍କୁ ହ୍ୟାଣ୍ଡ ଅଫ ଗଡ୍‌ ଆଖ୍ୟା ମିଳିଥିଲା। ୧୯୮୬ ମସିହା ଜୁନ୍‌ ୨୨ ତାରିଖରେ ମେକ୍ସିକୋ ସିଟିର ଆଜଟେକା ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ।

ହାଫ ଟାଇମ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ମ୍ୟାଚ୍‌ର ଦ୍ୱିତୀୟ ଭାଗର ୬ଷ୍ଠ ମିନିଟ୍‌ରେ ମାରାଡୋନା ଏକ ଚମତ୍କାର ଗୋଲ କରି ନିଜ ଦଳକୁ ଆଗୁଆ କରିଦେଇଥିଲେ। ତେବେ ବଲ୍‌ଟି ତାଙ୍କ ହାତରେ ବାଜି ଗୋଲ ପୋଷ୍ଟ ମଧ୍ୟକୁ ଯାଇଥିଲା। ନିୟମ ଅନୁସାରେ, ମାରାଡୋନାଙ୍କୁ ହଳଦିଆ କାର୍ଡ ମିଳିବା ସହ ଗୋଲକୁ ମଧ୍ୟ ନାକଚ କରାଯିବା କଥା। ହେଲେ ବଲ୍‌ଟି ତାଙ୍କ ହାତ ବାଜି ଗୋଲପୋଷ୍ଟକୁ ଯାଇଥିବା ମ୍ୟାଚ୍‌ର ରେଫରୀ ଦେଖି ପାରି ନଥିଲେ।

ସେତେବେଳେ ଭିଡିଓ ରେଫରାଲ ମଧ୍ୟ ନଥିଲା। ଫଳରେ ଆର୍ଜେଣ୍ଟିନା ସପକ୍ଷରେ ନିଷ୍ପତ୍ତି ଯାଇଥିଲା। ଦ୍ୱିତୀୟ ଗୋଲଟି ମଧ୍ୟ ମାରାଡୋନା ଦେଇଥିଲେ। ଏହାକୁ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଗୋଲର ଆଖ୍ୟା ମିଳିଛି। ଶେଷରେ ଆର୍ଜେଣ୍ଟିନା ୨-୧ରେ ମ୍ୟାଚ୍‌କୁ ଜିତିଥିଲା।

ସୂଚନାଯୋଗ୍ୟ, ୨୦୨୦ ମସିହା ନଭେମ୍ବର ମାସରେ ମାରାଡୋନାଙ୍କ ବିୟୋଗ ହୋଇଥିଲା। ଏହି ଖବର ପୂରେ ଫୁଟବଲ ଜବତକୁ ସ୍ତବ୍ଧ କରି ଦେଇଥିଲା।