୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର: ସମ୍ମାନିତ ହେଲେ ୧୦ ଲେଖକ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ୪ର୍ଥ ଯୁବ ଲେଖକ ପୁରସ୍କାର ସମାରୋହ। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ହୋଟେଲେ ପାର୍କ ପ୍ରିମିୟମ ପରିସରରେ ଆୟୋଜିତ ଏହି ସମାରୋହରେ ବିଗତ ବର୍ଷମାନଙ୍କ ଭଳି ୧୦ ଜଣ ଯୁବ ଲେଖକଙ୍କୁ ସମ୍ମାନିତ କରାଯାଇଛି।
ଏହି ସମାରୋହରେ ବରିଷ୍ଠ କବି ତଥା ବିଶିଷ୍ଟ ଗାନ୍ଧିବାଦୀ ଓ ସର୍ବୋଦୟ କର୍ମୀ ଶ୍ରୀ ଶୈଳଜ ରବି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବଲେଖକମାନଙ୍କୁ ଧୈର୍ଯ୍ୟବାନ୍‌ ହେବା ସହ ସକାରାତ୍ମକ ହେବା ଲାଗି ପରାମର୍ଶ ଦେଇଥିଲେ। କୌଣସି ସିଦ୍ଧିଲାଭ ଲକ୍ଷ୍ୟରେ ସୃଜନ ନ କରି ନିଜର ଅନ୍ତଃପ୍ରେରଣା ଓ ଆଗ୍ରହରୁ ସାହିତ୍ୟ ସୃଷ୍ଟି ହେବା ଉଚିତ ବୋଲି ସେ ମତ ଦେଇଥିଲେ। କର୍ମଶାଳା ମାଧ୍ୟମରେ ଅଧିକରୁ ଅଧିକ ଯୁବ ଲେଖକଙ୍କୁ ସାହିତ୍ୟ ଜଗତରେ ଶକ୍ତିଶାଳୀ କରାଯାଇପାରିବ ବୋଲି ସେ ମତ ଦେଇଥିଲେ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ କଥାଶିଳ୍ପୀ ଡ. ଗୌରହରି ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜଣେ ଯୁବ ଲେଖକ ପାଖରେ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ମତ ରଖିଥିଲେ। ନିଜ ଆଦ୍ୟ ଲେଖକୀୟ ଜୀବନ ସମେତ ବହୁ ପ୍ରସିଦ୍ଧ ଲେଖକଙ୍କ ପ୍ରାରମ୍ଭିକ ସାଧନା ସମୟର ବିଫଳତା ବାବଦରେ ସେ ନୂଆ ଲେଖକଙ୍କୁ ଅବଗତ କରାଇଥିଲେ। ତେବେ ବର୍ତ୍ତମାନ ସୁଯୋଗର ଅଭାବ ନଥିବା ବେଳେ ନୂଆଲେଖକମାନେ ବିଫଳତା ଦେଖିବାର ଧୈର୍ଯ୍ୟ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। କଳିଙ୍ଗ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ପୂର୍ବତନ କୁଳାଧିପତି ଡ. ବଦ୍ରିନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ମିଡିଆର ଉଦ୍ୟମକୁ ପ୍ରଶଂସା କରିଥିଲେ। କଥାଶିଳ୍ପୀ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ ସଭାପତିତ୍ବ କରିବା ସହ ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥାର ଆଭିମୁଖ୍ୟ ଓ ପୁରସ୍କାର ଉତ୍ସବ ପଛର ଉଦ୍ଦେଶ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ। ମଞ୍ଚ ପରିଚାଳନା କରିଥିଲେ ଜଣାଶୁଣା ବ୍ୟଙ୍ଗ କବି କୁଳାଙ୍ଗାର। ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହରେ ୪୦ ବର୍ଷରୁ କମ ବୟସର ମୋଟ ୧୦ ଜଣ ଯୁବ ଲେଖକଙ୍କୁ ପୁରସ୍କୃତ କରାଯାଇଛି। ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ରେ ଓଡ଼ିଆ ଭାଷାର ୬ଟି ପାଣ୍ଡୁଲିପି ସ୍ଥାନ ପାଇଥିବା ବେଳେ ଇଂରାଜୀ ଓ ହିନ୍ଦୀ ଭାଷାରେ ଦୁଇଟି ଲେଖାଏଁ ପାଣ୍ଡୁଲିପି ସ୍ଥାନ ପାଇଛି।

ଓଡ଼ିଆ ଓଡ଼ିଆ ଭାଷାରେ ଗଳ୍ପ ପାଣ୍ଡୁଲିପି ‘ବଇନା ଓ ବାଣୀବିହାର’ ପାଇଁ ପ୍ରିୟରଂଜନ ପଟ୍ଟନାୟକ, କବିତା ପାଣ୍ଡୁଲିପି ‘ଟୋପାଏ ସମୁଦ୍ର’ ପାଇଁ ହିମାଂଶୁ ଶେଖର ମିଶ୍ର, ଗଳ୍ପ ପାଣ୍ଡୁଲିପି ‘କରୋନା କାହାଣୀ’ ପାଇଁ ରୁଦ୍ରରଂଜନ ଶେଜପଡ଼ା, କବିତା ପାଣ୍ଡୁଲିପି ‘ଅଶ୍ରୁ ଅଭିସାର’ ପାଇଁ ଦୀପକ କୁମାର ସ୍ବାଇଁ, କବିତା ପାଣ୍ଡୁଲିପି ‘ଜୀବନ ସହ ସନ୍ଧି’ ପାଇଁ ପ୍ରୀତିସୀମା ସ୍ବାଇଁ ଓ କବିତା ପାଣ୍ଡୁଲିପି ‘କରୋନା ଓ ଅନ୍ୟାନ୍ୟ କବିତା’ ପାଇଁ ଦିନେଶ ଜେନାଙ୍କୁ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି।

ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ଗୁଲାବୀ କାନ୍ଭାସ୍’ ପାଇଁ ତୁଳିକା ବିବିଧରଂଗ ଓ ‘ଜିନ୍ଦଗୀ ଜୈଶେ କୋଇ ସମୁନ୍ଦର’ ପାଇଁ ନିଧି ଗର୍ଗ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପାଇଁ ମନୋନୀତ ହୋଇଥିବା ବେଳେ ଇଂରାଜୀ କବିତା ପାଣ୍ଡୁଲିପି ‘ଏଣ୍ଟ୍ରୋପୀ ଅଫ୍ ଥଟ୍ସ’ ପାଇଁ ମିୟୋଗ ରଂଜନ ପାତ୍ର ଓ ‘ଏ ପଟ୍‌ପୁରି ଅଫ୍ ପୋଏମ୍ସ’ ପାଇଁ ଅଙ୍କିତା ସାହୁଙ୍କୁ ଏହି ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଆଜିର ଉତ୍ସବରେ ପୁରସ୍କୃତି ଯୁବ ପ୍ରତିଭାମାନଙ୍କର ପାଣ୍ଡୁଲିପିଗୁଡ଼ିକ ଖୁବ୍‌ ଶୀଘ୍ର ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

ପୁରସ୍କାର ଉତ୍ସବ ପରେ ଏକ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ କୁଳାଙ୍ଗାର, ଗିରୀଶ ରଂଜନ, ସର୍ବଗିଳା, ଆର୍ତ୍ତତ୍ରାଣ ମିଶ୍ର, ଶୁଭ୍ରା ସୁଚରିତା, ହାଡ଼ିବନ୍ଧୁ ମହାଖୁଡ଼ ଓ ବିଘ୍ନେଶ୍ବର ପ୍ରମୁଖ କବିତା ପାଠ କରିଥିଲେ।

ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରକାଶନ ବିଭାଗ ହେଉଛି ପେନ୍ ଇନ୍ ବୁକ୍ସ। ୨୦୦୬ ମସିହାରୁ ପୁସ୍ତକ ପ୍ରକାଶ କରି ଆସୁଥିବା ପେନ୍ ଇନ୍ ବୁକ୍ସ ୩୦୦ରୁ ଅଧିକ ପ୍ରସିଦ୍ଧ ପୁସ୍ତକ ଛାପିବା ସହ ରାଜ୍ୟର ଏକ ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଉଭା ହୋଇଛି। ଏହା ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀ ଭାଷାର ପୁସ୍ତକ ମଧ୍ୟ ପ୍ରକାଶ କରିଥାଏ।

ଏହି ପୁରସ୍କାର ସମାରୋହ ଭିନ୍ନ ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥାଏ। ସେସବୁ ମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍ ଓ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରମୁଖ।