୩ଦିନ ଭିତରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନି । ସାମଜବାଦୀ ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ସମସ୍ତଙ୍କ ନଜର ବିଜେପି ଉପରେ ରହିଛି । ବିଜେପି କେବେ ନିଜର ପ୍ରାର୍ଥୀ ତାଲିକାର ଘୋଷଣା କରିବ ? ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେୟ ଏକ ବଡ଼ ବୟାନ ଦେଇଛନ୍ତି । ମହେନ୍ଦ୍ରନାଥ ପାଣ୍ଡେୟଙ୍କ କହିବାନୁସାରେ, ବିଜେପି ଆଗାମୀ ୩ଦିନ ଉତ୍ତରପ୍ରଦେଶର ଲୋକସଭା ସିଟ୍‌ ପାଇଁ ତାଲିକା ଜାରି କରିବ । ବିଜେପି ପ୍ରାର୍ଥୀଙ୍କ ତାଲିକା ଜାରି ହେବା ପୂର୍ବରୁ ଚଳିତ ଥର ଅନେକ ସାଂସଦଙ୍କ ଟିକେଟ କଟିବା ନେଇ ଜାରଦାର ଆଲୋଚନା ଆରମ୍ଭ ହୋଇଯାଇଛି । ଉତ୍ତରପ୍ରଦେଶରେ ବର୍ତ୍ତମାନ ୨୦ରୁ ୨୫ ସାଂସଦଙ୍କ ଟିକେଟ ପାର୍ଟି କାଟିବା ମୁଡରେ ରହିଛି ବୋଲି ଶୁଣିବାକୁ ମିଳୁଛି ।  ଆମ୍ବେଦକରନଗର, ହରଦୋଇ, ଜୌନପୁର, ଘୋସି, ମଛଲିସହର, ଶ୍ରାବସ୍ତି, ସନ୍ଥକବୀରନଗର,ସୁଲତାନପୁର, ପ୍ରତାପଗଢ଼, ପ୍ରୟାଗରାଜ ଓ କାନପୁର ଟିକେଟ କଟିପାରେ ବୋଲି କୁହାଯାଉଛି । ଆଉ ତା’ପରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧାରୁ ଅଧିକ ଲୋକସଭା ସିଟ୍‌ଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ବିଜେପି ଘୋଷଣା କରିବାକୁ ଯାଉଛି । ଏନେଇ ଦଳ ମଧ୍ୟରେ ଜୋରଦାର ଆଲୋଚନା ଚାଲୁ ରହିଥିବା ବେଳେ ୮୦-୯୦ ସାଂସଦଙ୍କ ଟିକେଟ କଟିପାରେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇ ନାହିଁ ।