୨୪ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ପଖୋର୍ଦ୍ଧା ସମାବେଶ ପଡିଆରେ ଭୂମି ପୂଜନ କଲେ ରାଜ୍ୟ ବିଜେପି ସଭାପତି 

ଭୁବନେଶ୍ୱର : ଆଗାମୀ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ସହ ଶୁଭାରମ୍ଭ କରିବେ । ଏଥି ସହ ଶ୍ରୀ ମୋଦୀ ଖୋର୍ଦ୍ଧା ଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଖୋର୍ଦ୍ଧା ସମାବେଶ ପଡିଆରେ ଭୂମି ପୂଜନ କରିଛନ୍ତି ।
ଶ୍ରୀ ମୋଦୀ ୧୫ ହଜାର କୋଟି ଟଙ୍କାର ବିକାଶ ଯୋଜନାକୁ ନେଇ ଓଡିଶା ଆସୁଛନ୍ତି । ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ବ୍ରହ୍ମପୁରଠାରେ ବିଶ୍ୱସ୍ତରୀୟ ଆଇଜର ଶିକ୍ଷାନୁଷ୍ଠାନର ନୂତନ କ୍ୟାମ୍ପସ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ- ହାଇଦ୍ରାବାଦ ମଧ୍ୟରେ ପାଇପଲାଇନର ଶୁଭାରମ୍ଭ, ଭୁବନେଶ୍ୱରରେ ଥିବା ଇଏସଆଇ ହସ୍ପିଟାଲକୁ ୧୦୦ ଶର୍ଯ୍ୟା ବିଶିଷ୍ଟ କରାଯିବା, ଜାତୀୟ ରାଜପଥର ୬ ଲେନ୍ ରାସ୍ତା, କଟକ- ଅନୁଗୁଳ ରାସ୍ତାର ୪ ଲେନ୍ ରାସ୍ତାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

 ୧୫ ହଜାର କୋଟି ଟଙ୍କାର ବିକାଶ ଯୋଜନାକୁ ନେଇ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
 ଖୋର୍ଦ୍ଧା ଜନସମାବେଶରେ ଲକ୍ଷ ଲକ୍ଷ ଜନତା ଯୋଗଦେବେ
 ମୋଦୀଙ୍କ ଗସ୍ତକୁ ନେଇ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ଉତ୍ସାହ ବଢିଛି

ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରରେ ୨୦୦ ଟଙ୍କିଆ ସ୍ମାରକୀ ମୁଦ୍ରା, ଡାକ ଟିକେଟ ଉନ୍ମୋଚନ ହେବା ସହ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାର ପ୍ରତିଷ୍ଠା ହେବ । ଏଥି ସହ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶ୍ରୀ ମୋଦୀ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
ଏହି ଜନସମାବେଶରେ ଲକ୍ଷ ଲକ୍ଷ ଜନତା ଯୋଗଦେବେ । ଅନ୍ୟପଟେ ମୋଦୀଙ୍କ ଗସ୍ତକୁ ନେଇ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ଉତ୍ସାହ ବଢିଛି । ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେଡି ବିରୋଧୀ ସରକାରକୁ ଜବାବ ଦେବା ପାଇଁ ରାଜ୍ୟବାସୀ ଏବେଠୁ ମନ ବଲାଇ ସାରିଲେଣି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଭୂମିପୂଜନ ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦକ ଯତୀନ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଗୋଲକ ମହାପାତ୍ର, ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗୀ, ଜିଲ୍ଲା ସଭାପତି ସୁବାଷ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତୁ ମିତ୍ର, କାଳୁ ଖଣ୍ଡାୟତରାୟ, ରଶ୍ମି ରଂଜନ ମହାପାତ୍ର, ନିକୁଂଜ ପଟ୍ଟନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।