୨୦୭୧ କୋଟି ଟଙ୍କାର ୧୨ ପ୍ରକଳ୍ପରେ ପୁଞ୍ଜି ନିବେଶକୁ ମଞ୍ଜୁରୀ

ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର ଆଉ ଏକପାଦ ଆଗକୁ ଯାଇ ୨୦୭୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ୩୫୩୫ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ। ଏହାକୁ ମିଶାଇ ଗତ ୧୧୦ ଦିନ ମଧ୍ୟରେ ରାଜ୍ୟ ସରକାର ସମୁଦାୟ ୫୮୪୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମଞ୍ଜୁର କରିଥିବା ବେଳେ ୨୦,୩୮୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସିଙ୍ଗିଲ୍‍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ୨୦୭୧ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ବୈଠକରେ ପ୍ରସ୍ତାବ ଉପସ୍ଥାପନ କରି ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପର୍ଯ୍ୟଟନ, ଆତିଥେୟତା, ଖାଦ୍ୟ ପ୍ରକ୍ରିୟାକରଣ, ଉତ୍ପାଦନ, ଗୃହ ପାଳିତ ପଶୁଙ୍କ ପାଇଁ ଖାଦ୍ୟ ଉତ୍ପାଦନ, ଇସ୍ପାତ, ଆନୁଷଙ୍ଗିକ କ୍ଷେତ୍ର, ଲଜିଷ୍ଟିକ୍‍ ପାର୍କ, ଲୁହା ପଥର ପ୍ରକ୍ରିୟାକରଣ ଭଳି ପ୍ରକଳ୍ପ ଏଥିରେ ସାମିଲ ଅଛି। ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ଏସବୁ ପ୍ରକଳ୍ପ ବେଶ୍‍ ଉପଯୋଗୀ ହୋଇପାରିବ ବୋଲି ଶ୍ରୀ ଶର୍ମା କହିଥିଲେ। ଅନୁମୋଦନ ପ୍ରଦାନ କରିବା ଅବସରରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଭିନ୍ନ ଭିନ୍ନ ପ୍ରକାରର ଶିଳ୍ପ ପାଇଁ ଜମି ଓ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଇପିକଲ୍‍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପାଇଥିବା ରାଜ୍ୟର ଯୁବକ ଯୁବତୀଙ୍କୁ ଏସବୁ ପ୍ରକଳ୍ପରେ ଯେପରି ନିଯୁକ୍ତି ମିଳିବ ତାହା ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଅନୁମୋଦନ ଲାଭ କରିଥିବା ଶିଳ୍ପ ପ୍ରସ୍ତାବ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ୱସ୍ତି ପ୍ରିମିୟମ୍‍ ପକ୍ଷରୁ ୯୫ କୋଟି ଟଙ୍କାର ରିସୋର୍ଟ ନିର୍ମାଣ ପ୍ରକଳ୍ପ ରହିଛି। ଏଠାରେ ୨୩୦ ଲୋକଙ୍କୁ ନିଯୁକ୍ତି ମିଳିବ। ସେହିପରି ପୁରୀରେ ୬୭.୨୭ କୋଟି ଟଙ୍କା ବିନିଯୋଗରେ ପୁଷ୍ପମ ରିୟଲିଟି ରିସୋର୍ଟ ଓ ସ୍ପା ପ୍ରତିଷ୍ଠା କରାଯିବ। ଏଠାରେ କମ୍ପାନୀ ୫୦୦ ଲୋକଙ୍କୁ ନିଯୁକ୍ତି ଦେବ ବୋଲି କହିଛି। ସେହିପରି ଆର୍ଶର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍‍ ପ୍ରାଇଭେଟ ଲିମିଟେଡ୍‍ ଖୋର୍ଦ୍ଧାରେ ୫ ତାରକା ହୋଟେଲ ପ୍ରତିଷ୍ଠା କରିବ। ୫୯.୩୩ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ହୋଟେଲ କାର୍ଯ୍ୟକ୍ଷମ ହେଲେ ୧୫୧ ଜଣଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। ସେହିପରି ଶ୍ରୀ ମେଟାଲିକ୍ସ ଲିମିଟେଡ୍‍ କେନ୍ଦୁଝର ଜିଲ୍ଲାରେ ୬୫୦ କୋଟି ଟଙ୍କା ବ୍ୟୟରେ ଲୁହା ପଥର ପ୍ରକ୍ରିୟାକରଣ ଏବଂ ପେଲେଟ୍‍ ପ୍ରସ୍ତୁତକାରୀ ୟୁନିଟ୍‍ ପ୍ରତିଷ୍ଠା କରିବ। କମ୍ପାନୀ ଏଠାରେ ୭୫୦ ଜଣଙ୍କୁ ନିଯୁକ୍ତି ଦେବ। ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍‍ ଲିମିଟେଡ୍‍ କେନ୍ଦୁଝର ଠାରେ ବିଲ୍ଲେଟ୍‍ ଓ ପେଲେଟ୍‍ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ୩୦୮ କୋଟି ଟଙ୍କାର ଏହି ପ୍ରଳଳ୍ପ କାର୍ଯ୍ୟକାରୀ ହେଲେ ୫୧୬ ଜଣ ନିଯୁକ୍ତି ପାଇବେ।

ସେହିପରି କେନ୍ଦୁଝର ଜିଲ୍ଲାରେ ୨୦୩ କୋଟି ଟଙ୍କା ବିନିଯୋଗରେ ସ୍ପଞ୍ଜ ଆଇରନ୍‍ ଓ ଷ୍ଟିଲ୍‍ ବିଲ୍ଲେଟ୍‍ ପ୍ଲାଣ୍ଟ ପ୍ରତିଷ୍ଠା କରି ୨୧୧ ଜଣଙ୍କୁ ନିଯୁକ୍ତି ମିଳିବ। କଟକରେ ଜେକେ ବାୟୋଟେକ୍‍ ଲିମିଟେଡ୍‍ ୨୧୫ କୋଟି ଟଙ୍କାରେ ଶସ୍ୟା ଆଧାରିତ ଇଥାନଲ ଏବଂ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆଉ ଏଠାରେ ୨୫୦ ଜଣଙ୍କୁ ରୋଜଗାର ମିଳିବ। ସୁନ୍ଦରଗଡ଼଼ରେ ଏଲ୍‍ଏମ୍‍ବି କଙ୍ଗନିମିରେଟ୍‍ ପ୍ରାଇଭେଟ ଲିମିଟେଡ୍‍ ୧୪୮ କୋଟି ଟଙ୍କା ବିନିଯୋଗରେ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରି ୧୧୨ ଜଣଙ୍କୁ ନିଯୁକ୍ତ କରିବ। ରାଉରକେଲା ସ୍ପଞ୍ଜ ଏଲ୍‍ଏଲ୍‍ପି ସୁନ୍ଦରଗଡ଼଼ରେ ଏକ ଇଥାନଲ୍‍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୧୩୫ କୋଟି ଟଙ୍କା ଖର୍ଚ୍ଚ କରିବ। କମ୍ପାନୀ ଏହି ପ୍ଲାଣ୍ଟରେ ୧୫୦ ଜଣଙ୍କୁ ନିଯୁକ୍ତି ଦେବ। ସେହିପରି ଉତ୍କଳ ଫିଡ୍‍ସ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ଖୋର୍ଦ୍ଧା ଓ ଢ଼େଙ୍କାନାଳରେ ହାଚେରୀ, ବ୍ରିଡର୍‍ ପ୍ୟାରେଣ୍ଟ ୟୁନିଟ୍‍ ଏବଂ ଅଣ୍ଡା ଲେୟର ୟୁନିଟ୍‍ ପ୍ରତିଷ୍ଠା ଲାଗି ୫୪.୧୭ କୋଟି ଟଙ୍କା ବିନିଯୋଗ କରିବା ସହ ୧୬୫ ଜଣଙ୍କୁ ନିଯୁକ୍ତି ଦେବ। ସ୍ପିନୋ ପେପର୍‍ ଆଣ୍ଡ ବୋର୍ଡସ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ପକ୍ଷରୁ କଟକ ଠାରେ ୫୬.୧୭ କୋଟି ଟଙ୍କା ବ୍ୟୟରେ ଉତ୍ପାଦନ ୟୁନିଟ୍‍ ପ୍ରତିଷ୍ଠା କରିବା ସହ ୨୦୦ ଲୋକଙ୍କୁ ନିଯୁକ୍ତି ଦେବ।

ସେହିପରି ହିନ୍ଦୁସ୍ତାନ ଆକ୍ୱା ପ୍ରାଇଭେଟ୍‍ ଲିମିଟେଡ୍‍ ପୁରୀ ଜିଲ୍ଲାରେ ଲଜିଷ୍ଟିକ୍‍ ପାର୍କ, କୋଲ୍ଡ ଚେନ୍‍, ଫୁଡ୍‍ କୋର୍ଟ, ରିଟେଲ୍‍ ୟୁନିଟ୍‍ ଏବଂ ମନୋରଞ୍ଜନ କେନ୍ଦ୍ର ପ୍ରତିଷ୍ଠା ଦିଗରେ ୮୦ କୋଟି ଟଙ୍କା ବ୍ୟୟ କରିବ। କମ୍ପାନୀ ଏଠାରେ ୩୦୦ରୁ ଅଧିକ ଲୋକଙ୍କ ଚାକିରୀ ଦେବ ବୋଲି କହିଛି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା, ବନ ବିଭାଗ ଅତିରିକ୍ତ ସଚିବ ମୋନା ଶର୍ମା, ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ, ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜବିହାରୀ ଧଳ, ଶିଳ୍ପ ଓ ଖଣି ବିଭାଗ ପ୍ରମୁଖ ସଚିବ ଡିକେ ସିଂହ, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଇପିକଲ୍‍ ଏମ୍‍ଡି ଭୁପିନ୍ଦର ସିଂହ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ।