୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

୨ରୁ ୧୮ ବର୍ଷର ପିଲାଙ୍କ ଶରୀରରେ କୋଭାକ୍ସିନର ବୁଷ୍ଟର ଡୋଜ୍ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ଅନୁମତି ଲୋଡ଼ିଛି ଭାରତ ବାୟୋଟେକ୍ ।

ଗତ ମାସରେ ୬ରୁ ୧୨ ମାସ ପିଲାଙ୍କ ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ) ଅନୁମତି ଦେଇଥିଲେ ।

ତା’ ପୂର୍ବରୁ ୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି)କୁ ସୁପାରିଶ କରିଥିଲା । ସେହିପରି ଗତ ବର୍ଷ ଡିସେମ୍ବର ମାସରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ଅନୁମତି ମିଳିଥିଲା ।

ଦେଶର କେତେକ ସ୍ଥାନରେ ପୁଣି କରୋନା ସଂକ୍ରମଣ ବଢିଚାଲିଥିବାରୁ ବୁଷ୍ଟର ଡୋଜ ଉପରେ ଗୁରୁତ୍ବ ଦିଆଯାଉଛି । ସରକାର ଗତ ଜାନୁଆରି ମାସରେ ବୁଷ୍ଟର ଡୋଜ୍ ପ୍ରଦାନ କରିବା ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷରୁ ଉର୍ଧ୍ଵହ ବ୍ୟକ୍ତିମାନଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିଲା ।