୧୮୦ଟି ରାଲିରେ ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ’ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ୨୦୧୯ ନିର୍ବାଚନରେ ବିଜେପିକୁ ମାତ ଦେବାପାଇଁ ରାଜନୈତିକ ଗୋଟିଚାଳନା କରୁଛି କଂଗ୍ରେସ । କୌଣସି ମତେ ଏଥର ଦିଲ୍ଲୀ ଗାଦି ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି ରାହୁଲ । ତେବେ ପୂର୍ବ ନିର୍ବାଚନ ଅପେକ୍ଷା କଂଗ୍ରେସର ସ୍ଥିତି ମଜଭୁତ ନଜର ଆସିଛି । ରାହୁଲ ଗାନ୍ଧୀ କଂଗ୍ରେସ କମାଣ ସମ୍ଭାଳିବା ପରେ ଦଳ ଅଧିକ ମଜଭୁତ ହୋଇଛି ବୋଲି କୁହାଯାଉଛି । ସେପଟେ ମୋଦି ଲେହେର ତୁଳାନାତ୍ମକ ଭାବେ ଫିକା ପଡ଼ିଥିଲେ ହେଁ ଆଜି ବି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା କମିନି । ଆଗକୁ ଜଣାପଡ଼ିବ ମୋଦି ଲେହେରକୁ ପାର କରିପାରିବେ କି କଂଗ୍ରେସ ଅଧ୍ୟକ୍ଷ ? ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଏବେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ଦେଶରେ ସମୁଦାୟ ୧୮୦ଟି ରାଲିରେ ଯୋଗ ଦେବେ । ସୂଚନା ଅନୁସାରେ ଏହି ରାଲିର ଯୋଜନା ଦଳର ରାଜ୍ୟ ୟୁନିଟ୍ ମହାସଚିବ ସ୍ଥିର କରିଛନ୍ତି । ଦଳ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ପ୍ରାର୍ଥୀ ତାଳିକା ପ୍ରସ୍ତୁତିରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।ଦଳ ନିଜର ପ୍ରଚାର ରଣନୀତିରେ ସୋସିଆଲ୍ ମିଡିଆ ଉପରେ ବିଶେଷ ଗୁରୁତ୍ୱ ଦେବ ବୋଲି ଜାଣବାକୁ ମିଳିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ପକ୍ଷରୁ ଏକ ସ୍ୱତନ୍ତ୍ର ଭିଡିଓ ଟିମ୍ ବନାଯିବ। ଏହି ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ପ୍ରଚାରକୁ ମୁକାବିଲା କରିବ । ଏଥିରେ ‘ସୁରକ୍ଷା’, ‘ନାରୀ ସୁରକ୍ଷା, ‘ସ୍ୱତନ୍ତ୍ରତା’, ‘ସଂସ୍ଥାଗତ ସ୍ୱତନ୍ତ୍ରତା’ ଆଦି ଦିଗରକୁ ଦୃଷ୍ଟିରେ ରଖାଯିବ ।