୧୬ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କଲେ ସରକାର

ସାମାଜିକ ଗଣମାଧ୍ୟମ ଉପରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛନ୍ତି ଭାରତ ସରକାର । ଅନ୍ୟତମ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ରେ ଆପତ୍ତିଜନକ ତଥା ଦେଶ ବିରୋଧୀ ମନ୍ତବ୍ୟ ପ୍ରସାରଣ କାରଣରୁ ୧୬ଟି ଚ୍ୟାନେଲକୁ ବ୍ୟାନ୍‌ କରାଯାଇଛି । ଚଳିତ ଏପ୍ରିଲ ମାସ ଆରମ୍ଭରୁ ୨୨ଟି ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ୍‌ କରିଥିଲେ କେନ୍ଦ୍ର ସରକାର ।

ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରେ ୨୦ଟି ଚ୍ୟାନେଲକୁ ବ୍ୟାନ୍‌ କରାଯାଇଥିଲା । ବ୍ୟାନ୍‌ ହୋଇଥିବା ଚ୍ୟାନେଲ ଗୁଡିକରେ କିଛି ପାକିସ୍ତାନୀର ମଧ୍ୟ ରହିଛି । ଆପତ୍ତିଜନକ ମନ୍ତବ୍ୟ ଦେବା ତଥା ଦେଶ ବିରୋଧୀ ଖବର ପ୍ରସାରଣ କରିବା ଅଭିଯୋଗରେ ମୋଟ ୧୬ଟି ଚ୍ୟାନେଲ ଉପରେ ବ୍ୟାନ୍‌ ଲଗାଇଛନ୍ତି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ବିଭାଗ । ଯେଉଁଥିରେ ୬ଯି ପାକିସ୍ତାନୀ ମଧ୍ୟ ରହିଛନ୍ତି । ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ବ୍ୟାନ୍‌ ହୋଇଥିବା ଚ୍ୟାନେଲ ଗୁଡିକ ଲଗାତାର ଭାବେ ଦେଶ ବିରୋଧୀ ଖବର ପ୍ରସାରଣ କରୁଥିଲେ । ଏହା ସହିତ ଦଙ୍ଗା ଉସକାଇବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଅପ୍ରୀତିକର ମନ୍ତବ୍ୟ ଦେବା ଅଭିଯୋଗ ରହିଥିଲା ।

ସୂଚନାଯୋଗ୍ୟ, ଦେଶର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ସରକାର ସମୟ ସମୟରେ ଅନେକ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କରିଛନ୍ତି। ଗତ ଦିନରେ ମନ୍ତ୍ରଣାଳୟ ଆଇଟି ନିୟମ ୨୦୨୧ ଆଧାରରେ ଜରୁରୀକାଳୀନ ଶକ୍ତିର ପ୍ରୟୋଗ କରି ୨୨ ୟୁଟ୍ୟୁବ୍ ଚ୍ୟାନେଲ୍, ୩ ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ୍ ଓ୍ଵେବସାଇଟ୍‌କୁ ବ୍ଲକ କରିଛନ୍ତି। ଏ ଯାଏଁ ବ୍ଲକ କରାଯାଇଥିବା ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ପାଖରେ ମୋଟ୍ ୨୬୦ କୋଟି ଭ୍ୟୁଅରସିପ୍ ରହିଥିଲା।

ପାକିସ୍ତାନର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଯାହାର ସବ୍‌ସ୍କ୍ରାଇବର ପ୍ରାୟ ୭ଲକ୍ଷରୁ ଅଧିକ ଏବଂ ଭ୍ୟୁୟର ୧୦ କୋଟି ଥିଲେ ତାହା ଏବେ ବ୍ୟାନ୍‌ ହୋଇଛି । ତାହାଫୁଜ୍-ଇ-ଦୀନ ଇଣ୍ଡିଆ ନାମକ ଏହି ଚ୍ୟାନେଲ ବିରୁଦ୍ଧରେ ମିଥ୍ୟା ଖବର ପ୍ରସାରଣ ନେଇ ଅଭିଯୋଗ ଥିଲା । ଏହି ଚ୍ୟାନେଲ୍‌ ନିକଟରେ ପ୍ରସାରଣ କରିଥିଲା ଯେ, ଲୁଧିୟାନା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଜଣେ ହିନ୍ଦୁ ।