ହାରିବା ବାଜି ଜିତିଲେ ଇମ୍ରାନ; କହିଲେ ଦେଶଦ୍ରୋହୀଙ୍କ ଷଡଯନ୍ତ୍ର ହେଲା ବିଫଳ

ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ତଙ୍କୁ ଚକିତ କରିଛନ୍ତି। ଅବିଶ୍ୱାସ ପ୍ରସ୍ତାବକୁ ପାକିସ୍ତାନ ସଂସଦର ବାଚସ୍ପତି ଖାରଜ କରିଦେଇଛନ୍ତି। ଏହିପରି ଭାବରେ ଇମ୍ରାନ ଖାନ ତାଙ୍କ ଆସନକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ତେଣୁ ବର୍ତ୍ତମାନ ବିରୋଧୀ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସେପର୍ଯ୍ୟନ୍ତ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ରହିବେ।

ଅବିଶ୍ୱାସ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ‘ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରାଯାଇଥିଲା। ସରକାରଙ୍କଠାରୁ ପ୍ରତିଶୋଧ ନେବା ପାଇଁ ବିଦେଶରୁ ଷଡ଼ଯନ୍ତ୍ର କରାଯାଉଥିଲା। ଏଭଳି ଷଡଯନ୍ତ୍ରକୁ ସଫଳ ହେବାକୁ ଆମେ ସୁଯୋଗ ଦେବୁ ନାହିଁ। ଏହା ସହ ଇମ୍ରାନ କହିଛନ୍ତି ଯେ, ‘ମୁଁ ବିଧାନସଭାଗୁଡ଼ିକୁ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛି। ନିର୍ବାଚନ ହେଉ ଏବଂ ଲୋକମାନେ ସ୍ଥିର କରନ୍ତୁ ଯେ, ସେମାନେ କାହାକୁ ଚାହାଁନ୍ତି। ବାହାରୁ କୌଣସି ଷଡଯନ୍ତ୍ର ଏବଂ ଏହିପରି ଦୁର୍ନୀତିଗ୍ରସ୍ତ ଲୋକ ଏହି ଦେଶର ଭାଗ୍ୟ ସ୍ଥିର କରିପାରିବେ ନାହିଁ।