ହାଇକୋର୍ଟଙ୍କ ନିର୍ଦ୍ଦେଶ; ସବୁ ଜେଲ୍ ପାଇଖାନାକୁ ୧୦ ଦିନ ଭିତରେ ସୁବ୍ୟବସ୍ଥିତ କର

ସବୁ ଜେଲ୍ ପାଇଖାନାକୁ ୧୦ ଦିନ ଭିତରେ ସୁବ୍ୟବସ୍ଥିତ କରିବାକୁ ନିର୍ଦ୍ଦେଶ । ଏସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାରେ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିର୍ଦ୍ଦେଶ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି କୋର୍ଟ । ୩୦ ତାରିଖ ଭିତରେ ଏନେଇ ରିପୋର୍ଟ କରିବେ ଜିଲ୍ଲା ଆଇନସେବା ଅଧିକାରୀ ।

ଜେଲ୍‌ ପରିଦର୍ଶନ କରି ପାଇଖାନାର ସ୍ୱଚ୍ଛତା ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି । ଏହାସହ ଅନ୍ତେବାସୀଙ୍କ ଖାଦ୍ୟର ମାନ ଓ ପରିମାଣକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଉତ୍କୃଷ୍ଟ ମାନର ଖାଦ୍ୟ ଓ ପରିମାଣ ନିଶ୍ଚିତ କରିବାକୁ ଉଚ୍ଚସ୍ତରୀୟ କମିିଟିକୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚସ୍ତରୀୟ କମିିଟି ଗଠନ ପାଇଁ ଜେଲ୍ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିମଳ ଓ ରୋଷେଇ ବ୍ୟବସ୍ଥାକୁ ଆଉଟସୋର୍ସିଂ କରିବାକୁ ବି ପରାମର୍ଶ ଦିଆଯାଇଛି ।

ଗତ ୧୩ ତାରିଖରେ ଜେଲ୍‌ରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ଓ ଅନ୍ୟ ଆନୁସଙ୍ଗିକ ସୁବିଧା ନଥିବାରୁ ଦୁଇ ଜେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଯାଇଥିଲା । ଜେଲରେ ଅନ୍ତେବାସୀଙ୍କ ଲାଗି ଅବ୍ୟବସ୍ଥା ଯୋଗୁଁ କୋରାପୁଟ ସବ୍ ଜେଲର ନିଲମ୍ବିତ ହେବା ସହ ଓ ନୟାଗଡ଼ ଖଣ୍ଡପଡ଼ା ଉପକାରାଗାର ଜେଲରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କୋରାପୁଟ ସବ ଜେଲ୍‌କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା । ସେହିଭଳି ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିସ କରାଯାଇଥିଲା ।

ଏପଟେ ହାଇକୋର୍ଟ ବିଚାରପତିଙ୍କ ରିପୋର୍ଟ ଆଧାରରେ ଜେଲ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ସେହି ଅନୁସାରେ ଜେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଜେଲ ଡିଜି । ସେହିଭଳି ନୟାଗଡ଼ ଜିଲ୍ଲା ଜଜ୍ ଖଣ୍ଡପଡା ଉପକାରାଗାରକୁ ଅଚାନକ ଗସ୍ତ କରିବା ପରେ ଅବ୍ୟବସ୍ଥା ସାମ୍ନାକୁ ଆସିବାରୁ ଜେଲରଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।