ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ

ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ପିଲା ଅନୁପସ୍ଥିତ ପ୍ରସଙ୍ଗ

ମାଟ୍ରିକ ପରୀକ୍ଷାରେ ୪୩ ହଜାରରୁ ଅଧିକ ପିଲା ଅନୁପସ୍ଥିତ ପ୍ରସଙ୍ଗ । ସ୍କୁଲ ସ୍ତରରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ସଚିବ । ଏନେଇ ସବୁ ଡିଇଓମାନଙ୍କୁ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ କଡ଼ା ତାଗିଦ କରିଛନ୍ତି ସଚିବ ।

ରିପୋର୍ଟ ଅନୁସାରେ ୪୩ ହଜାର ୪୮୯ ପିଲା ମାଟ୍ରିକ ପରୀକ୍ଷା ଦେଇନାହାନ୍ତି । ଏତେ ସଂଖ୍ୟକ ପିଲା ମାଟ୍ରିକ ପରୀକ୍ଷା ନଦେବା ଅତ୍ୟନ୍ତ ଚିନ୍ତାର ବିଷୟ । ତେବେ ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି ।

ଅନ୍ୟପଟେ ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୩ ହଜାର ପିଲା ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ମନ୍ତ୍ରୀ ସମୀର ରଂଜନ ଦାଶ କହିଲେ କୋଭିଡ୍ ହେତୁ ସବୁ ପିଲାଙ୍କ ଫର୍ମ ଫିଲପ୍ ଫି ଛାଡ଼ କରିଥିଲେ ସରକାର । ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମଫିଲପ ହୋଇଥିଲା ।

ସେହି ସମସ୍ତ ପିଲାଙ୍କ ଫର୍ମଫିଲପ୍ କର୍ତ୍ତୃପକ୍ଷ ସ୍ୱତଃ ମାଗଣାରେ କରିଥିଲେ । ତେବେ ଫର୍ମଫିଲପ ହୋଇଥିବା ପିଲା କାହିଁକି ପରୀକ୍ଷା ଦେଲେନି ତାହାର ତଦନ୍ତ ହେବ। ପରୀକ୍ଷାରେ ଅନୁପସ୍ଥିତ କାରଣ ପାଇଁ ଡିଇଓ ଏବଂ ବିଇଓଙ୍କୁ ତଦନ୍ତ ନିର୍ଦ୍ଦେଶ ହୋଇଛି ବୋଲି କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ମାଟ୍ରିକ୍ ପରୀକ୍ଷାରୁ ପରୀକ୍ଷାର୍ଥୀ ଗାୟବ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଥିଲା
। ଏପରିକି ଅଭିଯୋଗ ହୋଇଥିଲା- ସମ୍ମେଟିଭ ୱାନ୍‌ରେ ଯେଉଁମାନେ ଫର୍ମ ଫିଲପ କରିଥିଲେ, ସେମାନଙ୍କ ଫର୍ମ ଫିଲପ୍ ସମ୍ମେଟିଭ ଟୁ ପାଇଁ ହୋଇଛି । ଅଧାରୁ ପଢା ଛାଡିଥିବାରୁ ପରୀକ୍ଷା ଦେବାକୁ ଆସିନାହାଁନ୍ତି ପିଲା । ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା, ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି ।