ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଦାୟିତ୍ୱ

ଭୁବନେଶ୍ୱର  : ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ର ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ଉନ୍ନୟନ କମିଶନର ଥିବା ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ।
ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୧୪ ମାସ ଲାଗି ହେବ ଓ ସେ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ସୁରେଶ ମହାପାତ୍ର ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିଲେ । ଏବେ ଉନ୍ନୟନ କମିଶନର ଦାୟିତ୍ୱରେ ଅଛନ୍ତି ।
ଅନ୍ୟପକ୍ଷେ ୨୦୧୯ ମସିହା ୧୫ ଅଗଷ୍ଟ ତାରିଖରେ ଅସିତ ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଥିଲା । ବତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଅସିତ୍ ତ୍ରିପାଠୀଙ୍କୁ ଅବସରପରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିବା ବେଳେ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ଉପଦେଷ୍ଟା ଭାବେ ବି ଦାୟିତ୍ୱ ତୁଲାଇବେ । ଏଥି ସହ ଆଞ୍ଚଳିକ ପରିଷଦ, ପର୍ଯ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ରହିବେ ବୋଲି ଜଣାପଡିଛି । ସେହିପରି ବରିଷ୍ଠ ଆଇଏଏସ୍ ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠତା ଭିତ୍ତିରେ ଚାରି ଜଣ ଆଇଏଏସ୍‌ଙ୍କୁ ପଛରେ ପକାଇ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି ସୂଚନା ଯୋଗ୍ୟ ଯେ, ଆସନ୍ତା ଡିସେମ୍ୱର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ତାଙ୍କୁ ସବୁଜ ସଙ୍କେତ ମିଳିଛି । ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ଦିଆଯାଇଛି । ଆଉ ନୂଆ ନିଯୁକ୍ତି ନେଇ ଶୁକ୍ରବାର ଘୋଷଣା ହୋଇଛି ।