ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନର ମୃତ

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅଭାବନୀୟ ଘଟଣା । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ କିନ୍ନରଙ୍କ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା କିନ୍ନର ଜଣକ ହେଉଛନ୍ତି ନିମାପଡା ଗଡଇଟା ପୋଖରୀ ଗ୍ରାମର ବଳରାମ ରାଉତ । ଆଜି ମଧ୍ୟାହ୍ନ ସମୟରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଉକ୍ତ କିନ୍ନରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲକୁ ପଠାଇଥିଲେ ।

ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ପୋଲିସ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ଚଳାଇଛି।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏହି ଘଟଣା ଘଟିଥିବାରୁ ନୀତିକାନ୍ତିରେ କୌଣସି ବ୍ୟାଘାତ ହୋଇନାହିଁ ।‌ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପୋଲିସ ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି କିନ୍ନର ଜଣଙ୍କ ସିଂହଦ୍ୱାର ଗୁମୁଟରେ ଚଢିଲେ କିପରି? ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଏତେ ସଂଖ୍ୟକ ପୋଲିସ ଓ ଶ୍ରୀମନ୍ଦିର ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ ସେଠାରୁ କିନ୍ନର ଜଣକ ଡେଇଁ ଆତ୍ମହତ୍ୟା କଲେ କିପରି ?

କିନ୍ନର ଜଣକ ଆନନ୍ଦ ବଜାର ପଟୁ ସିଂହଦ୍ୱାର ଗୁମୁଟକୁ ଚଢିଥିଲେ। ସେଠାରେ ଉପସ୍ଥିତ ଲୋକ ଓ ସେବାୟତ ମାନେ ରୁହ ରୁହ କହିବା ପରେ ମଧ୍ୟ କିନ୍ନର ଜଣକ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି।