ସାହାରା ଗ୍ରୁପର ଚେୟାରମ୍ୟାନ ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ୱାରେଣ୍ଟ

ସାହାରା ଗ୍ରୁପର ଚେୟାରମ୍ୟାନ ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ୱାରେଣ୍ଟ । ତେବେ କୋର୍ଟରେ ହାଜର ହେବା ପାଇଁ ତାଙ୍କ ବାରମ୍ବାର ନୋଟିସ ପଠାଯାଇଥିଲା କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରିଆସୁଥିଲେ । ଫଳରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ୱେ ଶୁକ୍ରବାର କୋର୍ଟରେ ହାଜର ହୋଇନଥିଲେ ସୁବ୍ରତ । ଫଳରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ସେପଟେ ସୁବ୍ରତ ରାୟଙ୍କୁ ଗିରଫ କରିବାକୁ ପାଟଣା କୋର୍ଟ ୩ଟି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ କରିଛନ୍ତି । ବିହାର ସମେତ ଉତ୍ତରପ୍ରଦେଶ ଓ ଦିଲ୍ଲୀ ପୋଲିସକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ, ସୁବ୍ରତ ରାୟଙ୍କ ଉପରେ ଥିବା ମାମଲାର ଶୁଣାଣି ପାଇଁ ମେ ୧୩ ତାରିଖରେ ସମୟ ଧାର‌୍ୟ୍ୟ କରିଥିଲେ କୋର୍ଟ । ତଥାପି ସୁବ୍ରତ କୋର୍ଟରେ ହାଜର ହେଲେ ନାହିଁ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ ତାରିଖରେ ହେବ । ପୂର୍ବରୁ ସୁବ୍ରତଙ୍କ ମାମଲାର ଭର୍ଚୁଆଲ ଶୁଣାଣି ହେଉଥିବାବେଳେ ଏବେ ସବୁ ଶୁଣାଣି ଫିଜିକାଲ ମୋଡରେ ହେଉଛି । ସାହାରାରେ ଟଙ୍କା ଜମା ରଖିଥିବା ନିବେଶକଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଡିପୋଜିଟର ମ୍ୟାଚ୍ୟୁରିଟି ଶେଷ ହୋଇଯାଇଥିଲେ ବି ତାଙ୍କ ଅର୍ଥ ସେମାନେ ଫେରିପାଉନାହାଁନ୍ତି । ତେଣୁ ଆସନ୍ତା ଶୁଣାଣିରେ ସୁବ୍ରତ ନିବେଶକଙ୍କ ଟଙ୍କା କିପରି ଫେରାଇବେ ସେନେଇ ଉପଯୁକ୍ତ ରୁପରେଖ ସ୍ପଷ୍ଟ କରିବେ ବୋଲି ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।