ସାରୁଅ ଜମି ଜାଲିଆତି ମାମଲା : ମନୋରଞ୍ଜନ ଷଡଙ୍ଗୀଙ୍କୁ ଜାମିନ୍

ଭୁବନେଶ୍ୱର : ସାରୁଅ ଜମି ଜାଲିଆତିରେ ଗିରଫ ଓଡ଼ିଶା ଇନଫ୍ରାଟେକର ପୂର୍ବତନ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ଖୋର୍ଦ୍ଧା ସେସନ୍ସ କୋର୍ଟରୁ ଜାମିନ ପ୍ରଦାନ କରାଯାଇଛି । ତେବେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଏଜେଣ୍ଟ ଶିବପ୍ରସାଦଙ୍କ ଜାମିନ ଖାରଜ କରାଯାଇଛି । ଏହି ମାମଲାକୁ ନେଇ ହୋଇଥିବା ଶୁଣାଣିର ଦ୍ୱିତୀୟ ଦିନରେ ଗତକାଲି କ୍ରାଇମବ୍ରାଞ୍ଚର ଓକିଲ ପକ୍ଷ ରଖିଥିଲେ । ଏହା ସହିତ ଜମି ହରାଇଥିବା ଆଉ ୭ ଜଣ ମଧ୍ୟ ନିଜ ନିଜର ପକ୍ଷ ରଖିଥିଲେ । ଏମାନଙ୍କୁ ମିଶାଇ ଜମି ହରାଇଥିବା ମୋଟ ୨୨ ଜଣଙ୍କ ମଧ୍ୟରୁ ୨୧ ଜଣ ପକ୍ଷ ରଖିଥିଲେ । ଅନୁସୂଚିତ ଜାତି(ଏସସି) ବ୍ୟକ୍ତିବିଶେଷଙ୍କର ଜମି ହଡ଼ପ କରାଯାଇଥିବାରୁ ଉଭୟ ମନୋରଞ୍ଜନ ଓ ଶିବପ୍ରସାଦଙ୍କ ଜାମିନକୁ ଆବେଦନକାରୀଙ୍କ ଓକିଲ ବିରୋଧ କରିଥିଲେ । ଜଣେ ଜାମିନଦାର ଓ ୫୦ ହଜାର ଟଙ୍କା ବେଲ ବଣ୍ଡରେ ମନୋରଞ୍ଜନ ଙ୍କୁ ଜାମିନ ମିଳିଥିବା ଜଣାପଡିଛି । ଜାମିନରେ ରହିଥିବା ସମୟରେ ମନୋରଞ୍ଜନ ଯେପରି ରାଜ୍ୟ ବାହାରକୁ ନ ଯାଆନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ ମଧ୍ୟ କରିବେନି । ଏଥିସହିତ କ୍ରାଇମବ୍ରାଞ୍ଚ ଯେଉଁ ସମୟରେ ଚାହିଁବ, ତାଙ୍କୁ ଜେରା କରିପାରିବ ବୋଲି କୁହାଯାଇଛି ।