ସହିଦନଗର ଥାନା ପୁଲିସକୁ ଆକ୍ରମଣ ଘଟଣା : ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଥାନା ପୁଲିସକୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ମାମଲାରେ ୬ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଗଣ୍ଡଗୋଳକାରୀଙ୍କୁ ଧରିବା ଲାଗି ବିଭିନ୍ନ ଟିମ ଗଠନ କରାଯାଇଛି ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ବୋଲି କମିସନରେଟ ପୁଲିସ ସତ୍ୟଜିତ ମହାନ୍ତି କହିଛନ୍ତି । ଯେଉଁମାନେ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ସେମାନଙ୍କୁ ଗିରଫ କରାଯାଇଛି । ରବିବାର ଦିନ ରାତିରେ ସହିଦନଗର ଥାନାରେ ରାତି ଅଧରେ ତୁମୁଳକାଣ୍ଡ ହୋଇଥିଲା ।
ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଆହତ ହୋଇଥିଲେ । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୁଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଥିଲା । ଏଥିରେ ଆଇଆଇସି ବିରଞ୍ଚି ପତି ଓ ଏଏସଆଇ ଏମସିଏଚ୍ ମୁର୍ମୁଙ୍କ ସମେତ ୪ଜଣ ପୁଲିସ ଗୁରୁତର ଆହତ ହୋଇଥିଲେ । ଖାଲି ସେତିକି ନୁହେଁ, ଦୁର୍ବୃତ୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ମଧ୍ୟ ଭାଙ୍ଗି ଚୁରମାର କରି ଦେଇଥିଲେ ।