ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର; ଦୁବାଇରୁ ଓଡ଼ିଶା ଫେରିଲା ମୃତ ଶରୀର

ଅସମୟର ସାଥି ହୋଇ ଛିଡା ହୋଇଛି ଓଡିଶା ମୋ ପରିବାର। ବିଦେଶରୁ ମୃତ ଶରୀର ଆଣି ଘରେ ପହଞ୍ଚାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵର ଅନ୍ତର୍ଗତ ଗରାପୁର ଅଞ୍ଚଳର ୪୧ବର୍ଷିୟ ଶେଖ୍ ସାଜିଦ ଗତ ୨୦୧୮ ମସିହାରୁ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।

ଗତ ଏପ୍ରିଲ ୯ ତାରିଖରେ ହୃଦ୍-ଘାତରେ ପୀଡ଼ିତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଚିକିତ୍ସା ଚାଲିଥିବା ସମୟରେ ହିଁ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଡାକ୍ତର ପୋଷ୍ଟମୋର୍ଟମ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ସଦସ୍ୟ ଏଭଳି ଦୁଃଖଦ ପରିସ୍ଥିତିରେ ଅସ୍ତବ୍ୟସ୍ତ ହୋଇପଡିଥିଲେ ଓ ହସ୍ପିଟାଲ ସମ୍ବନ୍ଧରେ ଅଜ୍ଞ ଥିବାରୁ ପୋଷ୍ଟମୋର୍ଟମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ତାଙ୍କ ଗ୍ରାମର ସରପଞ୍ଚଙ୍କର ସହାୟତା ଲୋଡିଥିଲେ ।

ପରେ ସେଠାକାର ସରପଞ୍ଚଙ୍କର ପୁଅ ଲୋହିତ କୁମାର ମହାନ୍ତି ଓଡ଼ିଶା ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ରାପଡ଼ା ବିଧାୟକ ଶଶୀ ଭୂଷଣ ବେହେରାଙ୍କୁ ମଧ୍ୟ ଏଥିପାଇଁ ସୂଚିତ କରିଥିଲେ । ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ପ୍ରତିନିଧି ତଥା ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ, ଭାରତୀୟ ଦୂତରାଷ୍ଟ୍ର ଡଃ. ଅମନ୍ ପୁରିଙ୍କ ସହିତ ଯୋଗାଯୋଗ କରି ସଙ୍ଗେସଙ୍ଗେ ତାଙ୍କୁ ଦୁବାଇସ୍ଥିତ ଡାକ୍ତରଖାନାରେ ପୋଷ୍ଟମୋର୍ଟମ ପ୍ରକ୍ରିୟାରେ ସମସ୍ତ ସାହାଯ୍ୟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାରେ ସଂଯୋଜନା କରି ପାର୍ଥିବଶରୀରକୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ ।

ପାର୍ଥିବଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରୁଦ୍ର ସାମନ୍ତରାୟ ଓ ଓଡ଼ିଶା ମୋ ପରିବାର ପ୍ରତିନିଧିମାନେ ଉପସ୍ଥିତ ରହି ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ସାଜିଦଙ୍କ ମୃତ ଶରୀର ତାଙ୍କ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ଯେହେତୁ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ, ପରିବାରର ଭବିଷ୍ୟତକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଓଡ଼ିଶା ମୋ ପରିବାର ମାଧ୍ୟମରେ ତାଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ଆଗାମୀ ଦିନରେ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବାକୁ ଓଡ଼ିଶା ମୋ ପରିବାର ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।