ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା

ଓଡ଼ିଶାରେ ପ୍ରଥମ: ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତିରେ ସୁସ୍ଥ ହେଲେ ଜୀଭ କର୍କଟ ରୋଗୀ

ଭୁବେନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଜିଭ କର୍କଟ ରୋଗର ସଫଳ ଚିକିତ୍ସା ଦ୍ୱାରା ନିକଟରେ ଜଣେ ରୋଗୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ମମ୍‌ରେ ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ପଦ୍ଧତି ପ୍ରୟୋଗ ଦ୍ୱାରା ସମ୍ପୃକ୍ତ କର୍କଟ ରୋଗୀଙ୍କୁ ସୁସ୍ଥ କରାଯାଇପାରିଛି । ଏହି ନେଇ ସୂଚନା ଦେଇଛନ୍ତି ରେଡିଏସନ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଚିର ରଞ୍ଜନ୍ ଖାଡଙ୍ଗା ।
୪୫ ବର୍ଷ ବୟସ୍କ ରଘୁନାଥ ମହାନ୍ତି ଯାହାଙ୍କର ଜିଭରେ ଦୀର୍ଘ ସମୟ ଧରି ଏକ ପ୍ରକାର ଘା’ (ଅଲ୍‌ସର) ରହିଥିଲା । ବାୟୋପ୍ସି ପରୀକ୍ଷା ପରେ ଏହା ଏକ କର୍କଟ ଜନିତ ଟ୍ୟୁମର ବୋଲି ଜଣାପଡ଼ିଥିଲା । ତେବେ ସେ ପୂର୍ବରୁ ଚିକିତ୍ସା କରାଉଥିବା ହସ୍ପିଟାଲ୍‌ରେ ତାଙ୍କ ଜିଭଟିକୁ ଅସ୍ତ୍ରୋପଚାର ଜରିଆରେ ସଂପୂର୍ଣ୍ଣ ବାହାର କରି ଦେବାର ନିଷ୍ପତି ନିଆଯାଇଥିଲା । ଏହା ଦ୍ୱାରା ତାଙ୍କୁ ସାରା ଜୀବନ ଠିକ୍ ଭାବେ କଥା କହିବାରେ ସମସ୍ୟା ସୃଷ୍ଟି ହୋଇଥାନ୍ତା । ତେଣୁ ଏଭଳି ଚିକିତ୍ସାର ବିକଳ୍ପ ଓ ଉତମ ପଦ୍ଧତି ନିମନ୍ତେ ସେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପହଂଚିଥିଲେ ।
ସମ୍ମମ୍‌ରେ ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ବାୟୋପ୍ସି ରିପୋର୍ଟରୁ ଜିଭ କର୍କଟ ରୋଗ ଚିହ୍ନଟ ହୋଇଥିବା ବେଳେ ଅତ୍ୟାଧୁନିକ ଟ୍ରିପଲ୍ ଏଣ୍ଡୋସ୍କୋପିକ୍ ଆଣ୍ଡ ପିଇଟି-ସିଇସିଟି ପରୀକ୍ଷାରୁ ଏହା ଏକ ପ୍ରାରମ୍ଭିକ ସ୍ତରର ଜିଭ କର୍କଟ ବୋଲି ଜଣାପଡ଼ିଥିଲା । ଯେହେତୁ ସେ ଜଣେ ସୁସ୍ଥ ଓ କାର୍ଯ୍ୟକ୍ଷମ ବ୍ୟକ୍ତି ତେଣୁ ଜିଭ ଆଂଶିକ ବା ଅର୍ଦ୍ଧାଧିକ ଅଂଶ ଅସ୍ତ୍ରୋପଚାର ଦ୍ୱାରା ବାହାର ନ କରି ଅତ୍ୟାଧୁନିକ ବ୍ରାଭୋସ୍ ବ୍ର୍ରାକିଥେରାପି ଚିକିତ୍ସା ପଦ୍ଧତି ଆପଣାଇବା ଲାଗି ମଲ୍ଟିଡିସିପ୍ଲିନାରୀ ଟ୍ୟୁମର ବୋର୍ଡର ଚିକିତ୍ସକ ମାନେ ମତ ପୋଷଣ କରିଥିଲେ ଏବଂ ଅତ୍ୟାଧୁନିକ ବ୍ରାଭୋସ୍ ବ୍ରାକିଥେରାପି ଚିକିତ୍ସା ପ୍ରୟୋଗ କରାଯାଇଥିଲା ବୋଲି ଡାକ୍ତର ଖାଡଙ୍ଗା ସୂଚନା ଦେଇଛନ୍ତି ।
ଏହି ପଦ୍ଧତିରେ ସ୍ୱଳ୍ପ ସମୟ ପାଇଁ ଆନେସ୍‌ଥେସିଆ ଦିଆଯାଇ ବେକର ବାମ ପାଶ୍ୱର୍ର ଚର୍ମକୁ ଭେଦ କରି ପର୍ କ୍ୟୁଟାନିୟସ୍ କ୍ୟାଥେଟର୍ ଇମ୍‌ପ୍ଲାଂଟ ଦ୍ୱାରା ଜିଭରେ ଥିବା କର୍କଟ କ୍ଷତ ମଧ୍ୟରେ ଅତିସୂକ୍ଷ୍ମ ନମନୀୟ ପ୍ଲାଷ୍ଟିକ ନଳୀକୁ ରଖାଯାଇଥିଲା । ଏହାପରେ କମ୍ଫ୍ୟୁଟର ସାହାଯ୍ୟରେ ଉଚ୍ଚ ବିକିରଣ ଯୁକ୍ତ ଇରିଡିୟମ ତେଜସ୍କ୍ରିୟ ଆଇସୋଟୋପ୍‌କୁ ଉକ୍ତ ଜିଭ ମଧ୍ୟସ୍ଥ ସୂକ୍ଷ୍ମ-ପ୍ଲାଷ୍ଟିକ ନଳୀ ମଧ୍ୟରେ କିଛି ସମୟ ପାଇଁ ରଖାଯାଇଥିଲା । ଏହିପରି ଭାବେ ଉକ୍ତ ବ୍ରାକିଥେରାପି ସମ୍ଫୂର୍ଣ୍ଣ କରାଯାଇଥିଲା ଏବଂ ରୋଗୀଟିକୁ ଘରକୁ ଛଡାଯାଇଥିଲା ବୋଲି ଡାକ୍ତର ଖାଡଙ୍ଗା କହିଛନ୍ତି ।
ପ୍ରାୟ ଦୁଇ ମାସ ପରେ ବିଭିନ୍ନ ଡାକ୍ତରୀ ପରୀକ୍ଷା ଓ ଏମ୍‌ଆରଆଇ କରାଯିବା ପରେ ରୋଗୀଙ୍କ ଠାରେ କର୍କଟ ଚିହ୍ନ ଆଉ ଦେଖିବାକୁ ମିଳୁନାହିଁ । ବର୍ତମାନ ରୋଗୀ ଜଣକ ସୁସ୍ଥ ଜୀବନଯାପନ କରିବା ସହ ଖାଦ୍ୟପାନ ମଧ୍ୟ ଗ୍ରହଣ କରିପାରୁଛନ୍ତି ।
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଦକ୍ଷିଣ-ପୂର୍ବ–ଏସିଆ ତଥା ଭାରତର ସର୍ବପ୍ରଥମ ‘ବ୍ରାଭୋସ୍‌” ବ୍ରାକିଥେରାପି ମେସିନ୍ ସ୍ଥାପନ ହୋଇଥିଲା । ଯାହାକି ଅତ୍ୟାଧୁନିକ ନିରାପତା ତଥା ସଠିକ୍ ଓ ସୂକ୍ଷ୍ମ ଚିକିତ୍ସା ଯୋଗାଇପାରୁଛି । ଏହି ବ୍ରାକିଥେରାପି ଚିକିତ୍ସା ଦ୍ୱାରା ପ୍ରାରମ୍ଭିକ ସ୍ତରରେ କର୍କଟ ରୋଗା କ୍ରାନ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ଷା କରାଯାଇପାରୁଛି ଯାହା ରୋଗୀଙ୍କ ପାଇଁ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି ଡାକ୍ତର ଖାଡଙ୍ଗା କହିଛନ୍ତି ।