ସପ୍ତଶଯ୍ୟା ଉତ୍ସବ-୨୦୨୦ ଉଦ୍‌ଘାଟିତ

ଭୁବନେଶ୍ୱର : ଆଜି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ଦେବାଂଶୀ ଡ୍ୟାନ୍‌ସ ଏକାଡେମୀର ଭୁବନେଶ୍ୱର ଶାଖା ତରଫରୁ ସପ୍ତଶଯ୍ୟା ଉତ୍ସବ-୨୦୨୦ର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ସୁର୍ ଭାଇବ୍ରେସନ ଷ୍ଟୁଡିଓ,ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମାଧ୍ୟମରେ ଏହି ଉତ୍ସବ ଡିସେମ୍ବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ । ଆଜି ପୂର୍ବାହ୍ନରେ ଏଠାରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ମନୋରମ ସ୍ଥଳ ସପ୍ତଶଯ୍ୟା ପର୍ଯ୍ୟଟନ ଦୃଷ୍ଟିରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।ପ୍ରତିବର୍ଷ ସପ୍ତଶଯ୍ୟାଠାରେ ଅନୁଷ୍ଠିତ ହୋଇଆସୁଥିବା ଏହି ଉତ୍ସବ, କୋଭିଡ୍ କଟକଣା ସ୍ଥିତିରେ ଏ ବର୍ଷ ସେଠାରେ କରାଯାଇପାରୁନଥିଲେ ମଧ୍ୟ ଭୁବନେଶ୍ୱରରୁ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଦେବାଂଶୀ ଅନୁଷ୍ଠାନ ତରଫରୁ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯେପରି ଉଦ୍ୟମ କରାଯାଇଛି, ତାହା ଅତ୍ୟନ୍ତପ୍ରଶଂସନୀୟ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ପ୍ରତିଭା ଅନ୍ୱେଷଣ ଓ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିବା ନିମନ୍ତେ ନୃତ୍ୟ ଓ ସଂଗୀତ ଶିଳ୍ପୀମାନଙ୍କୁ ସୁଯୋଗ ଦେଇ ଏହି ଅନୁଷ୍ଠାନ ଯେପରି ଓଡିଶାର କଳା, ସଂସ୍କୃତିର ଗର୍ବ ଓ ଗୌରବକୁ ସାଉଁଟିଛନ୍ତି, ଏହି ଅନୁଷ୍ଠାନ ଓଡିଶାରେ ସାଂସ୍କୃତିକ ଆନ୍ଦୋଳନର ବାର୍ତାବହ ହେଉ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଉତ୍ସବରେ ଜୀବନବ୍ୟାପୀ ସଂଗୀତ ସାଧନା ପାଇଁ ଗୁରୁ ଡଃ. ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅନୁଷ୍ଠାନ ତରଫରୁ ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ସପ୍ତଶଯ୍ୟା ସମ୍ମାନଏବଂ ଜୀବନବ୍ୟାପୀ ଅଭିନୟ ପାଇଁ ପ୍ରଶାନ୍ତ ନନ୍ଦ ସମ୍ବର୍ଦ୍ଧିତ ଘୋଷଣା କରାଯାଇଥିଲା । ବୟସାଧିକ ଯୋଗୁଁ ଗୁରୁ ଶ୍ରୀ ରାଉତ ଉତ୍ସବକୁ ଆସିନପାରି ତାଙ୍କୁ ଏହି ସମ୍ମାନ ପ୍ରଦାନ ପରିପ୍ରେକ୍ଷୀରେ ଶୁଭେଚ୍ଛା ବାର୍ତା ରଖିଥିଲେ । ଶ୍ରୀ ନନ୍ଦ ମଧ୍ୟ ତାଙ୍କର ଅସୁସ୍ଥତା କାରଣରୁ ଆସିପାରିନଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ,ଓଡିଶା ସୁଶିଲ କୁମାର ଦାସ, ନାଲ୍‌କୋର ଜେନେରାଲ ମ୍ୟାନେଜର ( କର୍ପୋରେଟ୍ କମ୍ୟୁନିକେସନ) ଆଶୁତୋଷ ରଥ, ଆଦିତ୍ୟବାହିନୀ, ଗୋବର୍ଦ୍ଧନ ମଠ, ପୁରୀର ନ୍ୟାସନାଲ ସେକ୍ରେଟାରୀ ଜେନେରାଲ ମାତୃପ୍ରସାଦ ମିଶ୍ର, ସାମାଜିକ ଉଦ୍ୟୋଗପତି-ପରିଚୟ ଫାଉଣ୍ଡେସନ ଡଃ. ରୋଜାଲିନ୍ ପାଟଶାଣୀ, ବିଜୁ ଯୁବ ଜନତାଦଳର ବରିଷ୍ଠ ଉପ ସଭାନେତ୍ରୀ ତଥା ରାଜ୍ୟ ସାଂସ୍କୃତିକ ସମନ୍ୱୟ ସଦସ୍ୟା ଜ୍ୟୋତ୍ସ୍ନାରାଣୀ ପରିଡା,ନ୍ୟୁଟ୍ରିମାକ୍ସର ନିର୍ଦ୍ଦେଶକ ଜ୍ୟୋତିର୍ମୟ ପରିଜା, ସାମାଜସେବୀ ସ୍ୱାଧୀନା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ କଣ୍ଠଶିଳ୍ପୀ ତଥା ଦେବାଂଶୀ ନୃତ୍ୟାନୁଷ୍ଠାନର ଉପଦେଷ୍ଟା ଶ୍ରୀମତୀ ଜୟଶ୍ରୀ ଧଳ ପ୍ରାରମ୍ଭିକ ଉଦ୍‌ଘାଟନୀ ସଂଗୀତ ପରିବେଷଣ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଗୌରୀଶଙ୍କର ଦାଶଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ ।ଡଃ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।