ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଲା ତାମିଲନାଡୁ

ଶ୍ରୀଲଙ୍କା ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏତେ ଶୋଚନୀୟ ଯେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି। ଏହି ପରି ଘଡିସନ୍ଧି ମୁହୂର୍ତ୍ତରେ ଶ୍ରୀଲଙ୍କାର ସାହାଯ୍ୟ ପାଇଁ ଆଗକୁ ଆସିଛି ତାମିଲନାଡୁ। ରାଜ୍ୟର ଶାସକ ପାର୍ଟି ଡିଏମକେର ସମସ୍ତ ସାଂସଦ ନିଜର ଗୋଟିଏ ମାସର ଦରମା ଦେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ।
ସାଂସଦ ନିଜର ଦରମା ଶ୍ରୀଲଙ୍କାର ଚିଫ୍ ମିନିଷ୍ଟର ଫଣ୍ଡରେ ଦାନ କରିବେ।

ଏହା ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀଲଙ୍କାର ସହାୟତା ପାଇଁ ଆଗକୁ ଆସିବା ଏବଂ ରିଲିଫ ସାମଗ୍ରୀ ଜମା କରିବାରେ ସାହାଯ୍ୟ କରିବାକୁ ରାଜ୍ୟବାସୀଙ୍କୁ ଅପିଲ୍ କରିଥିଲେ। ଏ ସଂପର୍କରେ ତାମିଲନାଡୁ ବିଧାନସଭାରେ ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ଏଥିରେ ଶ୍ରୀଲଙ୍କାକୁ ଚାଉଳ ଏବଂ ଔଷଧ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କଠୁ ଅନୁମତି ଲୋଡା ଯାଇଛି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ ସରକାରଙ୍କ ଦ୍ଵାରା ଶ୍ରୀଲଙ୍କାକୁ ଯାହା ସାହାଯ୍ୟ ଯୋଗାଇ ଦିଆଯାଉଛି ସେଥିରେ ତାମିଲନାଡୁର ଯୋଗଦାନ ଏହାକୁ ଆହୁରି ଆଗକୁ ନେଇଯିବ। ତାମିଲନାଡୁର ମୁଖ୍ୟ ସଚିବ କେନ୍ଦ୍ର ସହ ସମନ୍ଵୟ କରି ଶ୍ରୀଲଙ୍କାକୁ ରିଲିଫ ସାମଗ୍ରୀ ପଠାଇବେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ସଂପ୍ରତି ଦୟନୀୟ ସ୍ଥିତି ଦେଇ ଗତି କରୁଛି। ଦେଶ ସବୁଠୁ ବଡ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଲୋକଙ୍କୁ ରାସନ ମଧ୍ୟ ମିଳୁନାହିଁ। ଦରବୃଦ୍ଧି ଆକାଶଛୁଆଁ ରହିଛି। ସରକାରଙ୍କ ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହୋଇ ସାରିଛି। ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ସମଗ୍ର ଦେଶର ଜନତା ତ୍ରାହି ତ୍ରାହି ଡାକିଲେଣି। ସରକାରର ସମସ୍ତ ସାଂସଦ ଇସ୍ତଫା ଦେଇ ସାରିଛନ୍ତି ଏବଂ ଖୋଲାଖୋଲି ସରକାରଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି।