ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା; ଗଠନ ହେଲା ୮ ଜଣିଆ ଗୃହ କମିଟି

ଉଭୟ ବିଧାନସଭା ଏବଂ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିଲା। ପୂର୍ବରୁ ବିରୋଧୀ ଗୃହ କମିଟି ଗଠନ ପାଇଁ ଦାବି କରିଥିଲେ। ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଂଗ ଉଠାଇ ଅବୈଧ ଖନନ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ।

ଇତି ମଧ୍ୟରେ ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ୮ ଜଣିଆ ଗୃହ କମିଟି। ଏହି ଗୃହ କମିଟିର ସଦସ୍ୟ ରହିଛନ୍ତି ନରସିଂହ ମିଶ୍ର, ଦେବୀ ମିଶ୍ର, ବିକ୍ରମ କେଶରୀ ଆରୁଖ, ପ୍ରତାପ ଜେନା, ଜୟନ୍ତ ଷଡ଼ଙ୍ଗୀ, ଅତନୁ ସବ୍ୟସାଚୀ ନାୟକ ଏବଂ ଲାଳିତେନ୍ଦୁ ବିଦ୍ୟାଧର ମହାପାତ୍ର।

ଶ୍ରୀମନ୍ଦିର ପରିକ୍ରାମ ପ୍ରକଳ୍ପ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମନ୍ଦିର ଚାରି ପଟେ ଖନନ ଏବଂ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ବିଧାନସଭାରେ ଉଭୟ କଂଗ୍ରେସ ଏବଂ ବିଜେପି ସଦସ୍ୟମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଗୁରୁବାର ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଂଗ ଉଠାଇ ଅଭିଯୋଗ କରିଛନ୍ତି ଜାତୀୟ ସ୍ମାରକୀ ପ୍ରାଧିକରଣର ବିନା ଅନୁମତିରେ ବେଆଇନ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ କରାଯାଇଛି। ଏହି ଅବୈଧ ଖନନ କାର୍ଯ୍ୟ ବନ୍ଦ କରିବାକୁ ସେ ଦାବି କରିଥିଲେ।

ଅନ୍ୟ ପକ୍ଷରେ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗକୁ ଖଣ୍ଡନ କରି ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଶ୍ରୀମନ୍ଦିର ପାଖରେ ୪ଟି ସୌଚାଳୟ ନିର୍ମାଣ ପାଇଁ ଏହି ଖନନ କାର୍ଯ୍ୟ ଚାଲିଛି। ଏହା ଦ୍ଵାରା ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଆଞ୍ଚ ଆସିବ ନାହିଁ ବୋଲି ସେ କହିଛନ୍ତି।

ବିରୋଧୀଙ୍କ ଦାବି ପରେ ବିଧାନସଭାରେ ଗତ ମାର୍ଚ୍ଚ ୨୯ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ ନିମନ୍ତେ ବିଧାନସଭା ଗୃହ କମିଟି ଗଠନ କରିବାକୁ ରାଜ୍ୟ ସରକାର ସହମତି ପ୍ରକାଶ କରିଥିଲେ। ଫଳରେ ଆଜି ୮ ଜଣିଆ ଗୃହ କମିଟି ଗଠନ କରାଯାଇଛି।