ଲଭ୍ ଫୋବିୟା

ପ୍ରେମରେ ମଣିଷ ସୁସ୍ଥ ଅନୁଭବ କରେ ବୋଲି କୁହାଯାଏ । ତେବେ ଅନ୍ଧ ବି ହୋଇଯାଏ ବୋଲି କଥା ରହିଛି । କିନ୍ତୁ ପ୍ରେମରେ କେତେକ ଫୋବିୟା ମଧ୍ୟ ଆକ୍ରାନ୍ତ କରିଥାଏ ଯାହା ଅନେକଙ୍କୁ ଅଜଣା । ଏହାକୁ କୁହାଯାଏ ଲଭ୍ ଫୋବିୟା । ଏହା ବାବଦରେ ସଠିକ୍ ତଥ୍ୟ ନଜାଣିଲେ ଏଭଳି ସ୍ଥିତି ପ୍ରେମ ଜୀବନକୁ ନଷ୍ଟ କରିଦେଇପାରେ ।
କମିଟମେଣ୍ଟ ଫୋବିୟା : ଏଥିରେ ଆକ୍ରାନ୍ତ ବ୍ୟକ୍ତି ସବୁବେଳେ ଅନୁଭବ କରନ୍ତି ଯେ ସେ ଅନ୍ୟମାନଙ୍କୁ କୌଣସି ପ୍ରକାର ପ୍ରତିଶ୍ରୁତି ଦେଇପାରିବେ ନାହିଁ । ତେଣୁ ସମ୍ପର୍କରେ କୌଣସି ପ୍ରତିଶ୍ରୁତି ଦେବାକୁ ସେମାନେ ଭୟ କରନ୍ତି । ଏହି ଫୋବିୟା ପୁରୁଷମାନଙ୍କ ଠାରେ ବେଶୀ ଦେଖାଯାଏ । ୨୦ରୁ ୩୦ ପ୍ରତିଶତ ଲୋକ ଏଥିରେ ଆକ୍ରାନ୍ତ ହେଉଥିବାବେଳେ ବିଶେଷଜ୍ଞମାନଙ୍କ ଅନୁସାରେ ଏମାନେ କୌଣସି ପ୍ରକାର ନିଷ୍ପତ୍ତି ନେବା କିମ୍ବା ଫଳାଫଳର ସାମ୍ନା କରିବାକୁ ଭୟ କରନ୍ତି ।
ମେଟ୍ରୋଫୋବିୟା : ଯଦି ଆପଣ ପ୍ରେମରେ ରୋମାଣ୍ଟିକ୍ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି ଏବଂ ଆପଣଙ୍କ ପାର୍ଟନର ଏସବୁରୁ ଦୂରେଇ ରହିବାକୁ ଚାହାନ୍ତି ତେବେ ତାଙ୍କ ଉପରେ ଚାପ ପକାନ୍ତୁ ନାହିଁ କି ଅଭିମାନ କରନ୍ତୁ ନାହିଁ । କାରଣ ସେ ମେଟ୍ରୋଫୋବିୟାରେ ଆକ୍ରାନ୍ତ ହୋଇଥାଇପାରନ୍ତି । ଏଭଳି ମଣିଷ କବିତା ତଥା ରୋମାଣ୍ଟିକ୍ କଥାବାର୍ତ୍ତାକୁ ଭୟ କରିବା ଦେଖାଯାଏ । ସ୍କୁଲ ବେଳେ ଶିକ୍ଷକମାନେ ଜବରଦସ୍ତି କରାଇଥିବା କବିତା ପାଠ ସେମାନଙ୍କର ଏହି ଭୟର କାରଣ ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ ଜଣାଇଛନ୍ତି । ଏପରିକି ସେମାନେ ନିଜ ପ୍ରେମପତ୍ର ମଧ୍ୟ ଆଉ କାହା ହାତରେ ଲେଖାନ୍ତି ।
ଜୋକୋଲେଟୋଫୋବିୟା : ସାଧାରଣତଃ ପ୍ରେମିକ ପ୍ରେମିକା ପରସ୍ପରକୁ ହୃଦୟ ଆକୃତିର ଚକୋଲେଟ ବକ୍ସ ଉପହାର ଦେଇଥାନ୍ତି । ପ୍ରେମରେ ଏହା ସବୁଠାରୁ ସୁନ୍ଦର ଉପହାର । ତେବେ ଏହି ରୋମାଣ୍ଟିକ ଗିଫ୍ଟ ଜୋକୋଲେଟୋ ଫୋବିୟାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୟଭୀତ କରାଇପାରେ । କାରଣ ଏମାନେ ଚକୋଲେଟ୍କୁ ଭୟ କରନ୍ତି । ଏହା ଏକ ପ୍ରକାର ଫୁଡ଼୍ ଫୋବିୟା ହୋଇଥିବା ବେଳେ ଅଜାଣତରେ ଏଥିପାଇଁ ଏକାଧିକ ପ୍ରେମୀଯୁଗଳଙ୍କ ସମ୍ପର୍କ ଖରାପ ହୋଇଛି ।
ଫିଲେମେଟୋଫୋବିୟା : ପ୍ରେମରେ ଚୁମ୍ବନ ଏକ ସାଧାରଣ କଥା । କିନ୍ତୁ ଆପଣଙ୍କ ପାର୍ଟନର ଯଦି ଚୁମ୍ବନକୁ ଭୟ କରୁଥାନ୍ତି ଏବଂ ଦୂରେଇ ରହୁଥାନ୍ତି ତେବେ ସେ ଫିଲେମେଟୋଫୋବିୟାରେ ଆକ୍ରାନ୍ତ ବୋଲି ଜାଣିବେ । ଏଭଳି ବ୍ୟକ୍ତି ଭଲ ଭାବେ ଚୁମ୍ବନ ଦେଇପାରନ୍ତି ନାହିଁ । ତେଣୁ ଏମାନଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ରହିବା କଷ୍ଟକର ହୋଇଯାଏ । ଏମାନଙ୍କ ଭୟ ଥାଏ ଯେ, ଚୁମ୍ବନ ଦେଲେ ମୁହଁର ଜୀବାଣୁ ଆଦାନ-ପ୍ରଦାନ ହୋଇଯିବ ଯାହା ସେମାନଙ୍କୁ ରୋଗରେ ପକାଇବ । ଅନେକ ସମୟରେ ମୁକ ଦୁର୍ଗନ୍ଧ ବି ଏପରି ଫୋବିୟାର କାରଣ ହୋଇପାରେ ।
ନିରାକରଣ ନିଜ ହାତରେ : ଏ ସମସ୍ତ ଫୋବିୟା ମଣିଷ ଅତୀତ ଏବଂ କୌଣସି ଅନୁଭବରୁ ସୃଷ୍ଟି ହୋଇପାରେ । ତେଣୁ ନିରାକରଣର ଉପାୟ ଫୋବିୟା ଆକ୍ରାନ୍ତ ବ୍ୟକ୍ତିଙ୍କ ପାର୍ଟନରଙ୍କ ହାତରେ ରହିଛି । ସେ ତାଙ୍କୁ ବୁଝାଶୁଝା କରି ତାଙ୍କ ମନରୁ ସେହି ଭୟ ବାହାର କରିପାରିଲେ ସମ୍ପର୍କ ସୁନ୍ଦର ଏବଂ ସୁଦୃଢ଼ ହୋଇପାରିବ । ତଥାପି ଯଦି ଏହି ଫୋବିୟା ସମ୍ପର୍କକୁ ଖରାପ କରୁଛି ତେବେ ମନୋଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ।
ଡାକ୍ତର ସମ୍ରାଟ କର
ମାନସିକ ରୋଗ ବିଶେଷଜ୍ଞ, ଦି\’ବ୍ରେନ୍, ପୁରୀଘାଟ ରୋଡ଼, କଟକ, ଦୂରଭାଷ : ୯୧୩୨୪୩୩୩୩୩