ରୋଷେଇ ବେଳେ ନିଆଁ ଲାଗି ୧୨ ବଖରା ପାଉଁଶ

ରାୟଗଡ଼ା: ଖମ୍ବାରୀଗୁଡା ଗାଁରେ ଭୟବହ ଅଗ୍ନିକାଣ୍ଡ । ରୋଷେଇ କରିବା ବେଳେ ନିଆଁ ଲାଗି ୪ ପରିବାରର ୧୨ ବଖରା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ପେମ୍ବାଗୁଡା ପଂଚାୟତ ଅନ୍ତର୍ଗତ ଉକ୍ତ ଗାଁରେ ଘଟିଛି ଏଭଳି ଅଘଟଣ ।

ସୂଚନା ଅନୁସାରେ ଖମ୍ବାରୀଗୁଡା ଗାଁର ସିମାଂଚଳ ଗୌଡଙ୍କ ପରିବାରର ମହିଳାମାନେ ରାତ୍ରି ଭୋଜନ ପାଇଁ ରୋଷେଇ କରୁଥିଲେ । ଏହି ସମୟରେ ହଠାତ ଚୂଲି ନିଆଁରୁ ନଡା ଛପର ଘରେ ନିଆଁ ଲାଗିଯାଇଥିଲା । ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ ଆଖି ପିଛୁଳାକେ ଧୀରେ ଧୀରେ ପାଖ ପଡୋଶୀ ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା ।

ସେପଟେ ଅଗ୍ନିକାଣ୍ଡ ସମ୍ପର୍କରେ ପଦ୍ମପୁର ଅଗ୍ନିଶମ ବିଭାଗ ଖବର ଦିଆଯାଇଥିଲା । ହେଲେ ଦମକଳ ପହଂଚିବା ପୂର୍ବରୁ ଲୋକେ ନିଆଁକୁ ଆୟତ କରିଥିଲେ । ଖବର ପାଇ ପଦ୍ମପୁର ତହସିଲଦାର ନୀଳମାଧବ ମାଝି ନିଜ ସହକର୍ମୀଙ୍କ ସହ ଖମ୍ବାରୀଗୁଡା ପହଂଚି ଅଗ୍ନିକାଣ୍ଡରେ କ୍ଷିତଗ୍ରସ୍ତ ପରିବାରକୁ ପ୍ରାଥମିକ ରିଲିଫ ପ୍ରଦାନ ସହ ପୋଡିବା ଘରକୁ ଢାଙ୍କିବା ପାଇଁ ପଲିଥିନ ଯୋଗାଇଥିଲେ ।