ରିଲିଜ ପୂର୍ବରୁ ଆଇନ ଜାଲରେ ‘ଜୟେଶଭାଇ ଜୋରଦାର’

ନିକଟରେ ରିଲିଜ ହୋଇଛି ଫିଲ୍ମ ‘ଜୟେଶଭାଇ ଜୋରଦାର’ର ଜବରଦସ୍ତ ଟ୍ରେଲର । ଏହି ଟ୍ରେଲରକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଭଲ ରେସ୍‌ନ୍ସ ମିଳିଛି । ରଣବୀର ସିଂହ ଓ ଶାଲିନୀ ପାଣ୍ଡେଙ୍କ ଏହି ଫିଲ୍ମ ଦେଖିବା ପାଇଁ ଦର୍ଶକ ଅପେକ୍ଷା କରି ବସିଛନ୍ତି । ତେବେ ଏହାରି ଭିତରେ ରିଲିଜ ପୂର୍ବରୁ ଆଇନ ଜାଲରେ ଫସିଛି ଫିଲ୍ମ ।

ଏହି ଫିଲ୍ମକୁ ନେଇ ଦେଖା ଦେଇଛି ବିବାଦ । ଫିଲ୍ମର ଟ୍ରେଲରରେ ଦେଖାଯାଇଥିବା ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଛି । ଏହି ଫିଲ୍ମରେ ରଣବୀର ସିଂହ ଜୟେଶଭାଇ ପଟେଲ ଚରିତ୍ରରେ ନଜର ଆସିବେ । ଏଥିରେ ସେ ଜଣେ ଗୁଜରାଟି ବ୍ୟକ୍ତିଙ୍କ ଭୂମିକାରେ ଅଭନୟ କରିବେ । ଯାହାଙ୍କ ବିବାହ ମୁଦ୍ରା ପଟେଲ(ଶାଲିନୀ ପାଣ୍ଡେ)ଙ୍କ ସହ ହୁଏ । ବିବାହ ପରେ ସେ ନିଜ ଜନ୍ମ ନେଇନଥିବା ଗର୍ଭସ୍ଥ ଶିଶୁର ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରନ୍ତି । ମୁଦ୍ରାଙ୍କ ପେଟରେ ଲିଙ୍ଗ ପରୀକ୍ଷା ପରେ କନ୍ୟା ସନ୍ତାନ ଥିବା ଜଣାପଡିବା ପରେ ଜୟେଶଭାଇଙ୍କ ପରିବାର ଲୋକେ ଉକ୍ତ ଶିଶୁକୁ ମାରିବା ପାଇଁ ଚେଷ୍ଟା କରନ୍ତି । ଏହି ଦୃଶ୍ୟକୁ ନେଇ ହିଁ ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର ହୋଇଛି ।

ଓକିଲ ପବନ ପ୍ରକାଶ ପାଠକ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ସେ କହିଛନ୍ତି ଯେ ଗର୍ଭସ୍ଥ ଶିଶୁର ଲିଙ୍ଗ ପରୀକ୍ଷା କରିବା ଆଇନଗତ ଅପରାଧ । ଏହିରି ଜିନିଷକୁ ପ୍ରୋତ୍ସାହିତ କରୁଥିବା ଦୃଶ୍ୟଗୁଡିକ ନିଶ୍ଚିତ ରୂପେ ଫିଲ୍ମରୁ ହଟାଯିବ ବୋଲି ମୋର ଆଶା । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିିନ୍ ସାଙ୍ଗି ଏବଂ ଜଷ୍ଟିସ୍ ନବୀନ ଚାୱଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।

ଫିଲ୍ମ ‘୮୩’ ପରେ ଏହା ରଣବୀର ସିଂହଙ୍କ ପ୍ରଥମ ଫିଲ୍ମ ହେବ ଯାହାକୁ ବଡ ପରଦାରେ ରିଲିଜ କରାଯିବ । ୟଶ୍ ରାଜ ଫିଲ୍ମ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର କାହାଣୀ କନ୍ୟା ସନ୍ତାନଙ୍କ ଉପରେ ଆଧାରିତ । ଝିଅ ଅପେକ୍ଷା କିଭଳି ପୁଅକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଦିବ୍ୟାଙ୍ଗ ଠକ୍କର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।