ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା ଏକ ବାହାନା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ସଂଖ୍ୟାଧିକ ଚାଷୀ ତଥା ଓବିସି ପରିବାରକୁ ଧୋକା ଦେବାର କାଳିଆ ଛାତ୍ରବୃତି ଯୋଜନା ଏକ ନିର୍ବାଚନୀ ଧୂଆଁବାଣ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମୋଟା ମୋଟି ସର୍ବସ୧ତଭାବେ ଗୃହିତ ସାଧାରଣ ବର୍ଗର ଆର୍ଥିକ ପଛୁଆ ପରିବାର ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥା ରାଜ୍ୟରେ ଲାଗୁ କରିବା ପାଇଁ ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତିର ଶୁଭାରମ୍ଭ କରିବା ସମୟରେ ରାଜ୍ୟର ଚାଷୀ ତଥା ଓବିସି ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ଼ ସ୍ୱପ୍ନ ଦେଖାଇଛନ୍ତି । କାଳିଆ ଛାତ୍ର ବୃତିର ଅର୍ଥରେ ପିଲାମାନେ ଡାକ୍ତର, ଇଂଜିନିୟର ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଟିରେ ଓଡ଼ିଶା ଚାଷୀ ପରିବାରର ପିଲାଙ୍କ ପାଇଁ ଏପରି ମନ୍ତବ୍ୟ ଶଇତାନର ବେଦ ପାଠ ସହ ସମାନ । ଶହେ ମୂଷା ଖାଇ ବିଲେଇର ହଜ୍ ଯାତ୍ରାର ଢଗ ଢମାଳି ପରି ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ପିଲାମାନଙ୍କୁ କାଳିଆ ଛାତ୍ର ବୃତି ମାଧ୍ୟମରେ ଚାକିରୀ କରିବା ପାଇଁ ସୁଯୋଗ ସୃଷ୍ଟିର ସୁନେଲୀ ସ୍ୱପ୍ନ ସେହିପରି କଥା ।
ଓଡ଼ିଶାର ଚାଷୀ ପରିବାରଗୁଡ଼ିକ ଅନ୍ୟାନ୍ୟ ପଛୁଆ ଜାତିର (ଓବିସି ବର୍ଗର) । ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ଓବିସି ବର୍ଗର ପରିବାରର ପିଲାମାନଙ୍କ ପାଠ ପଢ଼ା ପାଇଁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ଚାଷୀ ଓବିସି ଘରର ପିଲାମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଦେବା ବଦଳରେ ସାହୁକାର ଭଳି ଟଙ୍କା ଦେଇ ଦେବେ ବୋଲି କହିବା ପରିତାପର ବିଷୟ । ରାଜ୍ୟର ଚାଷୀ ତଥା ସାଧାରଣ ପରିବାରର ପିଲାମାନଙ୍କର ମେଧାଶକ୍ତି ଓଡ଼ିଶାର ମୂଳ ସମ୍ବଳ । ଗରୀବ ସାଧାରଣ ପରିବାରର ଓଡ଼ିଆ ପିଲାମାନଙ୍କୁ ଟିକେ ସୁଯୋଗ ମିଳିଲେ ସେମାନେ ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରଖନ୍ତି । ଏହା ଓଡ଼ିଶାର ଗ୍ରାମାଂଚଳର ପିଲାମାନଙ୍କର ସର୍ବଭାରତୀୟ ପରୀକ୍ଷାରେ ସଫଳ ହେବାର ରେକର୍ଡ ଏହାର ପ୍ରମାଣ । ଯଦି ଚାଷ କରୁଥିବା, ପରିବା ବିକୁଥିବା ଓଡ଼ିଆ ପରିବାରର ପିଲା ଆଇଏଏସ୍ ପାଏ, ଇକୋନମିକ୍ ସର୍ଭିସ୍ରେ ଉଚ୍ଚ ସ୍ଥାନରେ ରହେ, ମାଟ୍ରିକ ପରୀକ୍ଷାରେ ପ୍ରଥମ ୧୦୦ ଭିତରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିପାରେ ତା ହେଲେ ଆମ ଗାଁ ଗଣ୍ଡାର ଚାଷୀ ପରିବାରର ପିଲାଙ୍କ ପାରିବା ପଣିଆ ଉପରେ କେହି ପ୍ରଶ୍ନ ଚିହ୍ନ ଲଗାଇ ପାରିବେ ନାହିଁ । ରାଜ୍ୟର ଚାଷୀ ପରିବାର ଅର୍ଥାତ ଓବିସି ବର୍ଗର ପିଲାମାନେ ଆଜି ପ୍ରଶ୍ନ କରୁଛନ୍ତି – ସେମାନଙ୍କର ସାମ୍ବିଧାନିକ ଅଧିକାର- ଶିକ୍ଷା ଓ ଚାକିରିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସାରା ଦେଶରେ ଲାଗୁଥିବାବେଳେ ଓଡ଼ିଶାରେ ଲାଗୁ ହୋଇ ନାହିଁ କାହିଁକି? ନବୀନ ପଟ୍ଟନାୟକ ସରକାର ସେମାନଙ୍କୁ ସଂରକ୍ଷଣ ନ ଦେଇ ରାଜ୍ୟର ବହୁଜନ ସମାଜ ଓବିସି ବର୍ଗ ସହ ଛଳନା କରି ଧୋକା ଦେଉ ନାହାଁନ୍ତି କି? ୨୦୧୯ ମସିହା ନିର୍ବାଚନ ଘୋଷଣାକୁ ଆଉ ହାତ ଗଣତି କେଇଟା ଦିନ ରହିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ନେଇ ଚର୍ଚ୍ଚା ହେଉଛି । ଠିକ୍ ଏହି ସମୟରେ ବୁଢ଼ା ବାଘ ସ୍ୱର୍ଣ୍ଣ କଙ୍କଣ ଧରି ନିଜର ଶେଷ ଶୀକାର ଅପେକ୍ଷାରେ ଅଛି । ରାଜ୍ୟରେ ହରି୧⁄୨ନ୍ଦ୍ର ଯୋଜନାରେ କେମିତି ଟଙ୍କା ମିଳୁଛି, ମହାପ୍ରୟାଣ ଯୋଜନାର ଅବସ୍ଥା କ’ଣ ରାଜ୍ୟବାସୀ ଜାଣିଛନ୍ତି । ଯେଉଁ ସରକାର ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ରକୁ ସମ୍ଭାଳି ପାରନ୍ତି ନାହିଁ ଓଡ଼ିଆ ପିଲାଙ୍କ ଭବିଷ୍ୟତ କ’ଣ ଗଢ଼ିବେ ଏଥିରୁ ସ୍ପଷ୍ଟ । ଚାଷୀ ଘରର କଲେଜରେ ପାଠ ପଢ଼ୁଥିବା ଓ ବିଭିନ୍ନ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ତଥା ୧୮ ବର୍ଷରୁ ଉପରେ ଥିବା ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଛଳନାର ଚକ୍ରବ୍ୟୁହ ଭେଦ କରି ତାଙ୍କୁ ପ୍ରତ୍ୟାଖ୍ୟାନ କରିବାର ସମୟ ଆସିଛି । ସାମ୍ବିଧାନିକ ବ୍ୟବସ୍ଥାର ଅଧିକାରକୁ ଛଡ଼ାଇ ନେଇ କାଳିଆ ଛାତ୍ର ବୃତି ନାମରେ ବିନା ବଜେଟ୍ର ବିନା ବ୍ୟବସ୍ଥାଗତ ଓ ପରିଚାଳନା ଗତ ଶୃଙ୍ଖଳାରେ ଘୋଷିତ ଏହି ଯୋଜନା ଆମର ଚାଷୀ ଘରର ଓଡ଼ି ପିଲାଙ୍କ ପାଇଁ ମରୀଚିକା ସଦୃଶ ।
ସେହିପରି ସାଧାରଣ ବର୍ଗର ଆର୍ଥିକ ପଛୁଆ ପରିବାର ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧିନତାର ୭୨ ବର୍ଷ ପରେ ଐତିହାସିକ ନିର୍ଣ୍ଣୟ ନେଇ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ମାତ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ନିଷ୍ପତିକୁ ଲାଗୁ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାଁନ୍ତି କାହିଁକି?
ଓଡ଼ିଶାର ଚାଷୀ ଯେଉଁମାନେ ଓବିସି ବର୍ଗର ପ୍ରମୁଖ ଅଂଶ ତଥା ସାଧାରଣ ବର୍ଗର ଗରୀବ ପରିବାର ଙ୍କୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କର ଭବିଷ୍ୟତ ପାଇଁ କିପରି ସମ୍ବେଦନହୀନ ତାହା ବୁଝିବାକୁ ପଡ଼ିବ । କେବଳ ପ୍ରତିଶ୍ରୁତିର ପାହାଡ଼ ଠିଆ କରି ଏହାକୁ କ୍ରିୟାନ୍ୱିତ କରିବାକୁ ପ୍ରତିବଦ୍ଧତା ରଖୁ ନ ଥିବା ବ୍ୟକ୍ତିକୁ ଆପଣ କେମିତି ଦେଖିବେ ? ଯାହା ଆମର ଯୁବପିଢ଼ୀଙ୍କ ଭବିଷ୍ୟତ ଗଢ଼ିବ ସେ ସବୁ ନ କରି କେବଳ ସବୁ କଥାକୁ କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ଓ ଭୋଟ ରାଜନୀତି ପାଇଁ ବ୍ୟବହାର କରିବାକୁ ଆପଣ କେମିତି ବିଚାର କରିବେ? ବହୁତ ହେଲା ୧୯ ବର୍ଷ । ଗୋଟିଏ ରାଧୁଆ ମିଛୁଆ ରାଜନୈତିକ ଛଳ କପଟ ଓ ସମ୍ବେଦନହୀନତାର ଚରମ ନିଦର୍ଶନକାରୀ ସରକାରର ମିଛ ବାହାନାକୁ ପ୍ରତ୍ୟାଖ୍ୟାନର ସମୟ ଆସିଛି ।