ରାଜ୍ୟ ବଜେଟ୍‌ ୨୦୧୮-୧୯ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା : କୃଷି, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା । ପ୍ରଥମ  ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା।  ରାଜସ୍ବ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଏବଂ ଋଣ ଓ ଅନ୍ୟାନ୍ୟ କ୍ଷେତ୍ରରୁ ୧୯ ହଜାର ୬୭୮ କୋଟି ଭରଣା କରିବାକୁ ଆକଳନ କରିଛନ୍ତି ସରକାର । ତେବେ ଫୋକସରେ ଅଛି ଅନୁସୂଚିତ ଜାତି ଓ ଜନଜାତି ଙ୍କ ବିକାଶ କାର୍ଯ୍ୟକ୍ରମ । ଏହାପଛକୁ ଅଛି ଶିକ୍ଷା ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପାଇଁ ୨୨ ହଜାର ୬୮୪ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ସରକାର । ଏହା ପଛକୁ ଶିକ୍ଷା ବିଭାଗ । ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗ ପାଇଁ ଖର୍ଚ୍ଚହେବ ୧୯ ହଜାର ୬୭୮ କୋଟି ଟଙ୍କା । ତୃତୀୟରେ ଅଛି କୃଷି । ଏଥିପାଇଁ ସରକାର ୨୦୧୮-୧୯ ବର୍ଷରେ ଖର୍ଚ୍ଚ କରିବେ ୧୬ ହଜାର ୭୬୫ କୋଟି ଟଙ୍କା ।

ତେବେ ସ୍ବାସ୍ଥ୍ୟ ବିଭାଗର ଖର୍ଚ୍ଚ ଅଟକଳ ହୋଇଛି ୬ ହଜାର ୧୬୦ କୋଟି । ପିଇବା ପାଣିପାଇଁ ଗ୍ରାମାଞ୍ଚଳରେ ୧ ହଜାର କୋଟି ଓ ସହରାଞ୍ଚଳରେ ୩୫୦ କୋଟି ଟଙ୍କା ଅଟକଳ କରାଯାଇଛି ।  ସ୍ବଛ ଭାରତ ମିଶନରେ ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ପାଇଖାନା ହୋଇଛି । ଅର୍ଥାତ ସରକାର ଏଥିରେ ଟିକେ ପଛେଇ ଯାଇଛନ୍ତି । ସେଥିପାଇଁ ଗ୍ରାମାଞ୍ଚଳ ପାଇଖାନା ପାଇଁ ୧ ହଜାର କୋଟି ଖର୍ଚ୍ଚ ହେବ ସ୍ବଛଭାରତ ଯୋଜନାରେ । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ପାଇଁ ୩ ହଜାର ୫୯୨ କୋଟି ବ୍ୟବସ୍ଥା ହୋଇଛି ବଜେଟରେ । ମହିଳା ଓ ଶିଶୁ ବିକାଶର ବଜେଟ ଅଟକଳ ରହିଛି ୩ହଜାର ୪୪୭ କୋଟି ଟଙ୍କା । ବଜେଟ ଗ୍ରାମାଞ୍ଚଳର ଲୋକଙ୍କ ଆଶା ପୂରଣ କରିବାରେ ସହାୟକ ହେବ ବୋଲି ବଜେଟ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ କହିଛନ୍ତି। ତେବେ ୧ ଲକ୍ଷ ୨୦ ହଜାର ୨୮ କୋଟିର ବଜେଟ ଅଟକଳରୁ କେନ୍ଦ୍ରଠାରୁ ରାଜ୍ୟର ଅଂଶ ବାବଦକୁ ୩୬ ହଜାର ୫୮୬ କୋଟି ଓ କେନ୍ଦ୍ର ଅନୁଦାନ ବାବଦକୁ ମିଳବ ୨୪ ହଜାର ୭୬୪ କୋଟି ଟଙ୍କା । ବାକି ରାଜ୍ୟର ନିଜସ୍ବ ଟିକସ ୨୮ ହଜାର ୫୫୦ କୋଟି ଏବଂ ରାଜ୍ୟର ଅଣ ଟିକସ ରାଜସ୍ବ ୧୦ ହଜାର ୩୦୦ କୋଟି ହେବ ବୋଲି ଅଟକଳ କରାଯାଇଛି ।

ବଜେଟର ମୁଖ୍ୟାଂଶ …
• ଗ୍ରାମାଞ୍ଚଳ ଜଳଯୋଗାଣ ଲାଗି ୧୦୦୦ କୋଟି। • ଦକ୍ଷତା ବିକାଶ ଓ ଶିକ୍ଷା ଲାଗି ସର୍ବାଧିକ ୧୯,୬୩୮ କୋଟି ଟଙ୍କାର ଆବଣ୍ଟନ • ସହରାଞ୍ଚଳରେ ଜଳଯୋଗାଣ ଲାଗି ୩୫୦ କୋଟି ଟଙ୍କା
• ମୋ ସ୍କୁଲ୍‌ ଅଭିଯାନ ଲାଗି ୫୦ କୋଟି ଆବଣ୍ଟନ। • ୨୬୧୯ କୋଟର ଆବଣ୍ଟନ ୮ଟି ଜଳସେଚନ ପ୍ରକଳ୍ପ ଲାଗି। • ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଲାଗି ୧୨୪୭ କୋଟି। • ନବକୃଷ୍ଣ ଚୌଧୁରୀ ଜଳସେଚନ ପ୍ରକଳ୍ପ ୬୩୫ କୋଟି। • ଫସଲ ବୀମା ପ୍ରିମିୟମ୍‌ ଲାଗି ୪୦୦ କୋଟି ଟଙ୍କା। •ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଲାଗି୭୫୦ କୋଟି • ରାଜ୍ୟର ୨୫ ଲକ୍ଷ ଚାଷୀ ଫସଲ ବୀମାଭୁକ୍ତ।
• ମତ୍ସ୍ୟଜୀବୀଙ୍କୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ପରାମର୍ଶ। • ସର୍ବ ଶିକ୍ଷା ଅଭିଯାନ ୧୮୦୦ କୋଟି।
• ଆଦର୍ଶ ବିଦ୍ୟାଳୟ ନିର୍ମାଣ ଲାଗି ୨୫୦ କୋଟି। • ନିରାମୟ ଯୋଜନା ୩୦୪ କୋଟି। •୮୦୮ କୋଟି ମଧ୍ୟାହ୍ନ ଭୋଜନ। • ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ଯୋଜନା ଲାଗି ୭୦୦ କୋଟି। • ରାଷ୍ଟ୍ରୀୟ ମାଧ୍ୟମ ଶିକ୍ଷା ଅଭିଯାନ ୫୦୦ କୋଟି। • ବିଜୁ କୃଷକ ଯୋଜନାଲାଗି ୯୦ କୋଟି। • ଗୋପବନ୍ଧୁ ଗ୍ରାମୀଣ ଯୋଜନା ଲାଗି ୫୦୦ କୋଟି। • ସ୍ମାର୍ଟ ସିଟି ପାଇଁ ୪୦୦ କୋଟି • ପୁରୁଷ ବିଶ୍ୱ କପ୍‌ ହକି ପାଇଁ ୧୨୫ କୋଟି।
• ଓଡ଼ିଆ ଭାଷେ କମିସନ ଗଠନ ହେବ। • ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ୧ କୋଟି।

ଅର୍ଥମନ୍ତ୍ରୀ ପୂର୍ବ ବର୍ଷ ଭଳି ଏ ବର୍ଷ ଦୁଇ ଭାଗରେ ବଜେଟ୍‌କୁ ଉପସ୍ଥାପନ କରିଛନ୍ତି। ସେ ପ୍ରଥମେ କୃଷି ବଜେଟ୍‌ ଉପସ୍ଥାପନ କରିଛନ୍ତି। ରାଜ୍ୟରେ ୫୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଆରୋପ କରିଛନ୍ତି। ଚଳିତ ବର୍ଷ ବଜେଟ୍‌ର ପରିମାଣ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ରହିଛି ଯାହାକି ଗତ ଗତ ବର୍ଷ ତୁଳନାରେ ୧୧.୩ ପ୍ରତିଶତ ଅଧିକ । ବଜେଟରେ କୃଷି, ଜଳସେଚନ, ଗ୍ରାମୀଣ ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷା , ଦକ୍ଷତା ବିକାଶ ଓ କ୍ରୀଡା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ରାଷ୍ଟ୍ରୀୟ ହାରଠାରୁ ଅଧିକ ରହିବା ଅନୁମାନ କରାଯାଉଛି । ଜାତୀୟ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବା ଅନୁମାନ କରାଯାଉଥିବାବେଳେ ରାଜ୍ୟର ଅଭିବୃଦ୍ଧି ହାର ୭.୧୪ ରହିବା ଅନୁମାନ କରାଯାଉଛି । ତେବେ ଏବର୍ଷ ରାଜ୍ୟ ସରକାର ୧୯୬୭୮ କୋଟି ଟଙ୍କାର ଋଣ କରିବେ । ପ୍ରଥମ ପର୍ଯ୍ୟାୟରେ ଉପସ୍ଥାପିତ କୃଷି ବଜେଟ୍‌ର ପରିମାଣ ରହିଛି ୧୬ ହଜାର ୩ ଶହ ୬୫ କୋଟି ଟଙ୍କା। କୃଷକଙ୍କଠାରୁ ଧାନସଂଗ୍ରହ ବାବଦରେ ଉଚିତ ମୂଲ୍ୟ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ବଜେଟରେ ସର୍ବାଧିକ ୧୯,୬୩୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟିର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟସେବା ଉପରେ ପ୍ରାଥମିକତାକୁ ବଜାୟ ରଖି ନିରାମୟ ଯୋଜନା ପାଇଁ ୩୦୪ କୋଟି ଓ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ଯୋଜନା ପାଇଁ ୭୦୦ କୋଟି ର ବ୍ୟୟବରାଦ କରାଯାଇଛି ।