ରାଜ୍ୟ ଅର୍ଥ ନୈତିକ ସର୍ଭେ ରିପୋର୍ଟର ଚିତ୍ର : ଅଭିବୃଦ୍ଧିରେ ତଳକୁ ଖସୁଛି ଓଡିଶା

ଭୁବନେଶ୍ବର : ତଳକୁ ଖସୁଛି ରାଜ୍ୟ ଅର୍ଥନୀତି । ଗତବର୍ଷଠାରୁ ଏଥର ପାଖାପାଖି ୧ ପ୍ରତିଶତ କମିଯାଇଛି ଅଭିବୃଦ୍ଧି ହାର । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୧୬-୧୭ରେ ରାଜ୍ୟର ଅଭିବୃଦ୍ଦି ହାର ଥିଲା ୭.୯୪ ପ୍ରତିଶତ । ୨୦୧୭-୧୮ ରେ ହୋଇଛି ୭.୧୪ ପ୍ରତିଶତ । ହେଲେ ରାଜ୍ୟ ବାସୀଙ୍କ ମୁଣ୍ଡ ପିଛା ରୋଜଗାର ୪୨ ପ୍ରତି ବଢିଥିବା ନେଇ ଆକଳନ କରାଯାଇଛି । ଧାନ ଉତ୍ପାଦନ ବଢିବା ସହ ,ଗ୍ରାମ୍ୟ ବିଦ୍ୟୁତ କରଣ ଯୋଜନାରେ ୧୧.୫୨ ଲକ୍ଷ ପରିବାରଙ୍କୁ ପକ୍କା ଘର ଦେଇଛନ୍ତି ସରକାର । କହିଛନ୍ତି ୯୪.୩୭ ପ୍ରତିଶତ ଗାଁକୁ ବିଦ୍ୟୁତ ଦିଆଯାଇଛି । ବିରୋଧି କହିଛନ୍ତି କାଗଜ କଲମରେ ଅର୍ଥନୀତିର ଗୋଲାପି ଚିତ୍ର ଦେଇଛନ୍ତି ସରକାର । କିନ୍ତୁ ବାସ୍ତବ ଚିତ୍ର ବହୁ ତଳେ ।
ରାଜ୍ୟ ବାସୀଙ୍କ ରୋଜଗାର ବଢିଛି । ଗରିବି କମିଛି । ମୁଣ୍ଡପିଛା ଆୟ ୪୨ ପ୍ରତିଶତ ବଢିଥିବାବେଳେ ପ୍ରତିବର୍ଷ ଦାରିଦ୍ର ହାର କମୁଛି ୩.୫ ପ୍ରତିଶତ । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଚିତ୍ର ଦେଖାଇଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜ୍ୟର ଅଭିବୃଦ୍ଧି ହାର କମିଛି । ୨୦୧୬-୧୭ରେ ରାଜ୍ୟର ଅଭିବୃଦ୍ଧି ହାର ୭.୯୪ ପ୍ରତିଶତ ଥବା ବେଳେ ୨୦୧୭-୧୮ରେ ଅଭିବୃଦ୍ଧି ହାର ୭.୧୪କୁ ଖସି ଆସିଛି । କିନ୍ତୁ ଏହା ଜାତୀୟ ଅଭିବୃଦ୍ଧି ହାରଠାରୁ ବି ଅଧିକ ବୋଲି ଦର୍ଶାଇଛନ୍ତି ସରକାର। ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ରାଜ୍ୟ ଅର୍ଥନିତୀର ଏମିତି ଗୋଲାପି ଥୋଇଛନ୍ତି ସରକାର । କହିଛନ୍ତି ୨୦୧୭ରେ ମୁଦ୍ରାସ୍ପିତି ହାର ୧.୩ ରହିଛି । ଧାନ ଉତ୍ପାଦନ, ଖଣି, ବାଣିଜ୍ୟ, ପରିବହନ ଓ ସାମାଜିକ କ୍ଷେତ୍ରରେ ଓଡିଶା ଅଭିବୃଦ୍ଧି ଘଟିଛି । ୨୦୧୬-୧୭ରେ ୨୭ ପ୍ରତିଶତ ଧାନ ଉତ୍ପାଦନ ବୃଦ୍ଧି ପାଇଛି । ପାଖାପଖି ୯୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହୋଇଛି । ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ୩ ବର୍ଷରେ ୧୧.୫୨ ଲକ୍ଷ ପରିବାରଙ୍କୁ ପକ୍କା ଘର ଦେଇଛନ୍ତି ସରକାର ।। ୩.୦୩ ଲକ୍ଷ ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ ଜୀବନ ଜୀବିକା ମିଶନରେ ସାମିଲ କରାଯାଇଛି । ଏହାସହ ୪୫ ହଜାର ୨୦୦ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ସରକାର । ୨୦୦୦-୨୦୧୭ ମଧ୍ୟରେ ୧୫ ହଜାର ୮୪୧ଟି ଗାଁକୁ ରାସ୍ତା ନିର୍ମାଣ କରାଯାଇଛି । ପ୍ରତିବର୍ଷ ରାଜ୍ୟରେ ୩.୫ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଉଛି । ସେହିପରି ୯୪.୩୭ ପ୍ରତିଶତ ଗାଁକୁ ବିଦ୍ୟୁତକରଣ କରାଯାଇଛି । ୭୫ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇଛନ୍ତି ରାଜ୍ୟ ସରକାର ।
ରାଜ୍ୟର ଅବିବୃଦ୍ଦିର ଚିତ୍ରକୁ କିନ୍ତୁ ଫିକା କରି ଦେଇଛି ପୃଷ୍ଟିହିନତାର ତଥ୍ୟ । ରାଜ୍ୟରେ ପୁଷ୍ଟିହୀନତା ପରିସ୍ଥିତି ଉଦବେଗଜନକ ରହିଛି । ଏହାକୁ ଦୂର କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ସେହିଭଳି ଶିଳ୍ପାୟନ ଧିମେଇ ଯାଇଥିବାରୁ ଅଭିବୃଦ୍ଧି ହାର ଉପରେ ତାହାର ପ୍ରଭାବ ପଡିଛି । ହେଲେ ବିରୋଧୀ କିନ୍ତୁ ସରକାରଙ୍କ ସର୍ଭେ ରିପୋର୍ୟର ଚିତ୍ରକୁ ନେଇ ଖୁସି ନୁହଁନ୍ତି । ବିରୋଧୀଙ୍କ ଯୁକ୍ତି ରାଜ୍ୟ ବିକାଶର ଚିତ୍ର ଯାହା ରିରୋର୍ଟରେ ରହିଛି ତାହା କେବଳ କାଗଜ କଲମରେ ବାସ୍ତବ ଚିତ୍ର କିନ୍ତୁ ପୁରା ଭିନ୍ନ । ସେହିପରି ରାଜ୍ୟରେ ଆଇଟି କ୍ଷେତ୍ରରେ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାର ସ୍ପପ୍ନ ବି ଦେଖାଯାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟରେ ।