ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ; ଜୁନ୍‌ ୧୦ରେ ଭୋଟ୍‌ ଗ୍ରହଣ

ରାଜ୍ୟସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁନ ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୩ଟି ଆସନରେ ନିର୍ବାଚନ ଲାଗି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ତିନି ଜଣ ରାଜ୍ୟସଭା ସାଂସଦଙ୍କର ୬ ବର୍ଷିଆ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଥିବାରୁ ଏହି ଆସନ ପାଇଁ ନିର୍ବାଚନ ହେବ।

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ଆସନ୍ତା ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’ ୩୧ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରାଯିବ। ଆସନ୍ତା ଜୁନ ୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଜୁନ ୩ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି।

ଜୁନ ୧୦ ତାରିଖରେ ରାଜ୍ୟସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। ସକାଳ ୯ରୁ ୪ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହିଦିନ ୫ଟାରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଜୁଲାଇ ପହିଲାରେ ସରିବ ୩ ସାଂସଦଙ୍କ କାର୍ଯ୍ୟକାଳ

ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୧ ତାରିଖରେ ଶେଷ ହେବାକୁ ଯାଉଛି। ୨୦୧୬ ମସିହାରେ ଏନ. ଭାସ୍କାର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଷ୍ଣୁ ଦାସ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଷ୍ଣୁ ଦାସଙ୍କୁ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରତାପ ଦେବ ରାଜ୍ୟସଭାକୁ ଯାଇଥିଲେ। ତେବେ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ନିର୍ବାଚିତ ହେବା ପରେ ସେ ରାଜ୍ୟସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ସାଂସଦ କରାଯାଇଥିଲା।

ଏବେ ୩ ରାଜ୍ୟସଭା ସାଂସଦଙ୍କର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ରାଜ୍ୟସଭାକୁ କିଏ ଯିବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେ ରାଜ୍ୟସଭାକୁ ଯିବେ। ରାଜ୍ୟସଭା ସାଂସଦ ପାଇଁ ଅନେକ ଆଶାୟୀ ରେସରେ ରହିଛନ୍ତି। ତେବେ ବିଜେଡି ସୁପ୍ରିମୋ କାହା ଉପରେ ଭରସା କରିବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି।