ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର୍ଯ୍ୟର ତଦାରଖ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଆସି ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟର ତଦାରଖ କରିଛନ୍ତି।

ଏହା ସହିତ ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ, ଭିଏସଏସ ମାର୍କେଟସ୍ଥିତ ଶୀତଳଭଣ୍ଡାର ଏବଂ ନିର୍ମାଣାଧୀନ ରାଉରକେଲା-୧ ଭିତ୍ତିଭୂମିର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଉଚ୍ଚ ସଚିବସ୍ତରୀୟ ଟିମ୍‌ରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ସାମିଲ ହୋଇଛନ୍ତି। ଏହି ଟିମ୍ ରାଉରକେଲାରେ ପହଞ୍ଚି ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରି ନିର୍ଦ୍ଧାରିତ ସମୟ ଭିତରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୩ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜକ ରହିଛି ଓଡ଼ିଶା। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେସନ ମାନର ଆଷ୍ଟ୍ରୋଟର୍ଫ ପଡ଼ିଆ ନିର୍ମାଣ କରାଯାଉଛି। ଏହି ଷ୍ଟାଡିୟମରେ ଏକା ସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ଏଠାରେ ଖେଳାଳିଙ୍କ ପାଇଁ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର ସହିତ ରାତିରେ ମ୍ୟାଚ୍ ଖେଳିବା ପାଇଁ ଆଧୁନିକ ସ୍ପୋର୍ଟସ୍ ଲାଇଟ୍‌ର ବ୍ୟବସ୍ଥା କରାଯାଉଛି। ରାଉରକେଲାରେ ଏହି ଷ୍ଟାଡିୟମ ନିର୍ମାଣ ହେଲେ ସୁନ୍ଦରଗଡ଼ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପାଇପାରିବ।

ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ରୁ ଅଧିକ ସରକାରୀ ହାଇସ୍କୁଲକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।

ଉଚ୍ଚ ସଚିବ ସ୍ତରୀୟ ଟିମ୍ ରାଉରକେଲାର ଉଦିତନଗର ସରକାରୀ ହାଇସ୍କୁଲର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଛନ୍ତି। ଏହି ଗସ୍ତ ୫ଟି ସଚିବ ଭି.କେ. ପାଣ୍ଡିଆନ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ସ୍ମାର୍ଟ କ୍ଲାସ୍‌ରୁମ, ଆଧୁନିକ ବିଜ୍ଞାନାଗାର, ଇ-ଲାଇବ୍ରେରି, ଖେଳ ପଡ଼ିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ବ୍ଲୁମ୍ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ବିଶ୍ୱର ପ୍ରମୁଖ ୧୫ଟି ସହର ଭିତରେ ସ୍ଥାନ ପାଇଛି। ସହରର କ୍ଷୁଦ୍ର ପନିପରିବା ଓ ଫଳ ବ୍ୟବସାୟୀମାନଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ଏହା ଅଧୀନରେ ଛେଣ୍ଡ ସ୍ଥିତ ଭିଏସ୍ଏସ୍ ମାର୍କେଟଠାରେ ୫ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏକ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି। ଏହାର ପରିଚାଳନା ଦାୟିତ୍ୱ ସ୍ଥାନୀୟ ଅଞ୍ଚଳର ମା’ ତାରିଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି।

ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଓ ପ୍ରତିନିଧି ଦଳ ଏହି ପ୍ରକଳ୍ପସ୍ଥଳକୁ ଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିବା ସହ ଏଭଳି ଅଣ-ପାରମ୍ପରିକ କାର୍ଯ୍ୟର ସଫଳ ପରିଚାଳନା ପାଇଁ ମିଶନ ଶକ୍ତିର ମା’ମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ରାଉରକେଲା ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସ୍ମାର୍ଟ ସିଟି ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି । ନିର୍ମଣାଧୀନ ରାଉରକେଲା-୧ ଭିତ୍ତିଭୂମି ପରିସରରେ ସହରର ଟ୍ରାଫିକ୍ ପରିଚାଳନା ପାଇଁ କମାଣ୍ଡ ସେଣ୍ଟର ସହିତ ପ୍ରସ୍ତାବିତ ଜନଜାତି ସଂଗ୍ରହାଳୟ, କନଭେନସନ୍ ହଲ୍, ମାର୍କେଟ କଂପ୍ଲେକ୍ସ, ରାସ୍ତା ନିର୍ମାଣ ଏବଂ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ପରେ ରାଉରକେଲା ବିମାନବନ୍ଦରଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଏହି ଉଚ୍ଚସ୍ତରୀୟ ଟିମ। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏହି ପରିଦର୍ଶନ ଓ ସମୀକ୍ଷା ବୈଠକ ବେଳେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।