ମେ’ ୩୦ରେ ଆନ୍ଧ୍ରପ୍ରଦେଶର ମଙ୍ଗ ଧରିବେ ଜଗନ ମୋହନ

ଆନ୍ଧପ୍ରଦେଶ: ଆଜି ଦେଶର ଲୋକସଭା ସହିତ ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଉଛି । ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଗଣନା ଚାଲିଛି । ତେବେ ଯାହା ଟ୍ରେଣ୍ଡ ଦେଖିବାକୁ ମିଳିଛି ୟୁପିଏ ସହିତ ହାତ ମିଳାଇଥିବା ତେଲୁଗୁ ଦେଶମ୍‌ ପାର୍ଟୀ (ଟିଡିପି)କୁ ଏକ ଶକ୍ତ ଝଟ୍‌କା ଲାଗିଛି । ଗତ ନିର୍ବାଚନରେ ଶତକ ମାରିଥିବା ଟିଡିପି ଏଥର ଅର୍ଦ୍ଧ ଶତକ ମଧ୍ୟ ହାସଲ କରି ପାରି ନାହିଁ । ଆଜି ସନ୍ଧ୍ୟା ସୁଦ୍ଧା ନିଜର ପରାଜୟ ସ୍ୱୀକାର କରି ଟିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି ।

ଆନ୍ଧ୍ର ପ୍ରଦେଶରେ ଏଥର ଆଇଏସ୍‌ଆର୍‌ କଂଗ୍ରେସ ଜଗନ ମୋହନ ରେଡୀଙ୍କ ଯାଦୁ ଦେଖିବାକୁ ମିଳିଛି । ରେଡୀ ସରକାର ଗଢ଼ିବାକୁ ଯାଉଛନ୍ତି ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ଏଠାରେ ଥିବା ୧୭୫ଟି ଆସନରୁ ଟିଡିପି ମାତ୍ର ୨୫ଟି ଆସନରେ ଆଗୁଆ ଥିବା ବେଳେ ଆଇଏସ୍‌ଆର୍‌ କଂଗ୍ରେସ ତୀବ୍ର ଗତିରେ ବଢ଼ି ୧୫୦ ଅଙ୍କ ଛୁଇଁଛି । ତେଣୁ ସେଥିପାଇଁ ଆଜି ସନ୍ଧ୍ୟାରେ ନାଇଡ଼ୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୩୦ ତାରିଖରେ ଜଗନ ମୋହନ ନୂତନ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଦଳ ନେତା ଅମ୍ମାରେଡୀ ଭେଙ୍କେଟେଶ୍ୱରେଲୁ ସୂଚନା ଦେଇଛନ୍ତି । ଚଳିତ ନିର୍ବାଚନରେ ଆଇଏସ୍‌ଆର୍‌ କଂଗ୍ରେସ, ଟିଡିପି ଓ ଜେଏସ୍‌ପିର ଅଭିନେତା ପବନ କଲ୍ୟାଣ ମଇଦାନରେ ଥିଲେ । ମାତ୍ର ବିଜେପି ଏଠାରେ ଖାତା ଖୋଲି ପାରି ନାହିଁ । 

ଗତ ୨୦୧୪ ନିର୍ବାଚନ ଫଳାଫଳକୁ ଦେଖିଲେ ଟିଡିପି ୧୦୨ଟି ଆସନରେ ବିଜୟ ହାସଲ କରିଥିଲା । ସେହିପରି ୱାଇଏସ୍‌ଆର୍‌ ୬୭ ଓ ବିଜେପି ଖାତାକୁ ୪ଟି ଆସନ ଯାଇଥିଲା । ସେତେବେଳେ ଟିଡିପି ବିଜେପି ସହ ମଧ୍ୟ ମେଣ୍ଟ କରିଥିଲା ।