ମେଣ୍ଢା ମୃତ୍ୟୁ ଘଟଣା: କ୍ଷତିପୁରଣ ଦେବ ତାକୁ ନେଇ ଦୁଇ ମନ୍ତ୍ରୀ ମୁହାଁ ମୁହିଁ,ସିଏମକୁ ଜଣାଇବେ ଦାମ

ଭୁବନେଶ୍ବର: ନିଆଳି ମେଣ୍ଢା ମୃତ୍ୟୁ ଘଟଣାକୁ ନେଇ ଆଜି ମୁହାଁ ମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ମନ୍ତ୍ରୀ । ଅଜଣା ଯନ୍ତୁର ଆକ୍ରମଣରେ ମରୁଥିବା ମେଣ୍ଢାର କ୍ଷତିପୁରଣ ଦେବା ନେଇ କୃଷି ଓ ପଶୁ ସଂପଦ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପରସ୍ପର ଉପରୁ ଦୋଷ ଠେଲିଛନ୍ତି । ନିଆଳି ମେଣ୍ଡା ମୃତ୍ୟୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୁରଣ ଦେବାକୁ ନିଆଳିରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ସ୍ଥାନୀୟ ବିଡିଓଙ୍କୁ ଘେରିଛନ୍ତି । ବିଡିଓ ଜିଲ୍ଲାପାଳଙ୍କୁ କହି ବ୍ୟବସ୍ଥା କରାଯିବ କହିଖସିଛନ୍ତି । ହେଲେ କେଉଁ ବିଭାଗ କ୍ଷତିପୁରଣ ଦେବ ସେନେଇ କିଛି ସ୍ଥିର ହୋଇପାରିନି । କୃଷି ଓ ପଶୁ ସଂପଦ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେଉଁ ମାନଙ୍କର ମେଣ୍ଢା ମରୁଛନ୍ତି ସେମାନେ ସବୁ ଗରିବ ଲୋକ । ମେଣ୍ଢା ପାଳନ କରି ପରିବାର ପୋଷନ୍ତି । ସେମାନଙ୍କ କ୍ଷତି ହୋଇଛି । ହେଲେ କ୍ଷତିପୁରଣ ଦେବା ଜଙ୍ଗଲ ବିଭାଗର କାମ । ସରକାର ସବୁ ଦିଗ ନେଇ ସଜାଗ ଅଛନ୍ତି ମେଣ୍ଢା ମୃତ୍ୟୁ ନେଇ କ୍ଷତିପୂରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ । ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କିନ୍ତୁ ମେଣ୍ଢା ପାଳକଙ୍କୁ କ୍ଷତିପୁରଣ ଦେବା କଥାକୁ ଏଡାଇ ଦେିଛନ୍ତି । କହିଛନ୍ତି ମେଣ୍ଢା ମାରୁଥିବା ରାମଶିଆଳ ବିରଳ ପ୍ରଜାତିର । ଏହା ଜଙ୍ଗଲ ବିଭାଗ ଭିତରେ ଆସୁଛି ସତ । ହେଲେ ହାତୀ ଆକ୍ରମଣ ଓ ଚାଷ ନଷ୍ଟ ହେଲେ ସରକାର କ୍ଷତିପୂରଣ ଦେଉଛନ୍ତି । କିନ୍ତୁ ରାମଶିଆଳ ମେଣ୍ଢା ମାରିବା ଏକ ବିରଳ ଘଟଣା ଏନେଇ କୈଣସି ସରକାରୀ ନିୟମ ନାହିଁ । ତେଣୁ କ୍ଷତିପୁରଣ ଦେବା ନେଇ ସେ ବିଭାଗ ସହ ଆଲୋଚନା କରିବେ । ହେଲେ ଏବେ କଥା ହେଉଛି ଦୁଇ ବିଭାଗ ଭିତରେ କିଏ ଦେବ ଚାଷୀଙ୍କୁ କ୍ଷତିପୁରଣ ।