ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮ ହଜାର ଟଙ୍କା ଦାନ କଲେ ଚା’ ଦୋକାନୀ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮ ହଜାର ଟଙ୍କା ଦାନ କଲେ ଚା’ ଦୋକାନୀ । ସ୍ଥାନୀୟ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ (ଆରଟିଓ-୧) ନିକଟ ଏକ ଓମ୍ଫେଡ୍ ବୁଥ୍ରେ ଚା’ ବିକ୍ରି କରୁଥିବା ଦୋକାନୀ ଶିବଶଙ୍କର ଜେନା ନିଜ ଝାଳପୋଛା ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି। ରାଜ୍ୟ ଲୋକସେବା ଭବନରେ ସେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି।

ଏହି ଅବସରରେ ଶ୍ରୀ ଜେନା ଜଣାଇଥିଲେ ଯେ, ଜଣେ କୋଭିଡ୍ ଯୋଦ୍ଧା ଭାବେ କାର୍ୟ୍ୟ କରିଥିଲେ। ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ ନିଜ ଉପରେ କରାଇବା ପାଇଁ ସେ ସ୍ୱେଚ୍ଛାକୃତ ଭାବେ ଆଗଭର ହୋଇଥିଲେ। ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍ ହସ୍ପିଟାଲକୁ ଯିବା ଆସିବା କରୁଥିଲେ। ତାଙ୍କୁ ଯିବା ଆସିବା ଖର୍ଚ୍ଚ ବାବଦରେ ୬୭୫୦ ଟଙ୍କା ମିଳିଥିଲା। ଟିକା ପରୀକ୍ଷଣ ସଫଳ ହେବାରୁ ସେ ବହୁତ ଆନନ୍ଦିତ ହୋଇଥିଲେ ଓ ଆତ୍ମସନ୍ତୋଷ ଲାଭ କରିଥିଲେ।