ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଉ ୬ ମାସ ମିଳିବ ମାଗଣା ଚାଉଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଟଙ୍କିକିଆ ଚାଉଳ ସହ ମାଗଣା ଚାଉଳ ମଧ୍ୟ ମିଳିବ । ପୂର୍ବରୁ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ନବୀନ ଏହି ଘୋଷଣା କରିଛନ୍ତି ।

ଅପ୍ରେଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଲୋକମାନେ ଏହି ମାଗଣା ଚାଉଳ ପାଇବେ । ଏହାଦ୍ୱାରା ୮.୦୯ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ଅନେକ ହିତାଧିକାରୀ ବାଦ ପଡ଼ିଯିବାରୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ । ଫଳରେ କେନ୍ଦ୍ର ସରକାର ଏଥିପାଇଁ ଯେତିକି ସାମଗ୍ରୀ ଯୋଗାଣ କରୁଛନ୍ତି ରାଜ୍ୟ ସରକାରଙ୍କୁ ଅତିରିକ୍ତ ଭାବେ ସହାୟତା ଦେବାକୁ ପଡ଼ୁଛି । ଆଉ ୬ ମାସ ମାଗଣା ଚାଉଳ ଦେବା ପାଇଁ ୨୪୨୭୦ ଟନ ଚାଉଳର ଆବଶ୍ୟକତା ପଡ଼ିବ । ଏଥିପାଇଁ ୯୧.୭୦ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ଆକଳନ କରାଯାଇଛି । ତେବେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ଯେତିକି ସହାୟତା ପାଇଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ସେତିକି ସହାୟତା ଦେବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।